ବୁଢାଚଚ୍ଚା

 

 

 

 

 

 

 

 

 

ବୁଢ଼ା ଚଚ୍ଚା

ଶ୍ରୀ ଅଶ୍ୱିନୀ କୁମାର ଘୋଷ

 

 

ପଦେ କଥା

 

ଏହି କ୍ଷୁଦ୍ର ଉପନ୍ୟାସଟି ମୋର ଲେନୀର ପ୍ରଥମ ପ୍ରସୂତ, ସୁତରାଂ ଏଥିରେ ନାନାଦି ଦୋଷ ଥିବାର ବିଚିତ୍ର ନୁହେଁ । ତେବେ ସୁଦ୍ଧା ମୁଁ ପାଠକବର୍ଗଙ୍କୁ ଏହା ଉପହାର ଦେବାକୁ କୁଣ୍ଠିତ ବୋଧ କରୁନାହିଁ । ଏହା ମୋର ଦୃଢ଼ ବିଶ୍ୱାସ ଯେ, ପୁସ୍ତିକାଟି ଆଦ୍ୟେପ୍ରାନ୍ତ ଶୁଦ୍ଧ ଭାବାପନ୍ନ ଥିବାରୁ ପରିଚ୍ଛଦାଦି ଦୋଷରେ କେବେହେଁ ପରିବର୍ଜ୍ଜିତ ହେବ ନାହିଁ । ଅତଏବ ପାଠକପାଠିକାମାନଙ୍କୁ ମୋର ଆନ୍ତରିକ ନିବେଦନ ‘ବୁଢ଼ାଚଚ୍ଚା’ର ସାଧୁଚିରିତ୍ର ବିବେଚନାରେ ତାହାର ଦୀନତାଜନିତ ଦୋଷଗୁଡ଼ିକ ଯେପରି ଧର୍ତ୍ତବ୍ୟ ନ ହୁଏ ।

 

ପ୍ରଥମ ଲେଖା :-୧୯୧୪ ମସୀହା

କଟକ

ଇତି

ଅଶ୍ୱିନୀ

 

ପ୍ରଥମ ପରିଚ୍ଛେଦ

ସ୍ନେହ

 

ବୈଶାଖମାସର ଖରାଦିନ । ବେଳ ଦ୍ୱିପ୍ରହର ଗଡ଼ିଗଲାଣି । ସୂର୍ଯ୍ୟଦେବ କ୍ଲାନ୍ତି ଅନୁଭବ କରୁ କରୁ ସ୍ୱଗୃହାଭିମୁଖରେ ରଥାଶ୍ୱ ଝପଟାଇ ଦେଲେଣି । ଅସ୍ତାଚଳ ମଧ୍ୟ ବେଶି ଦୂର ନାହିଁ । ଏଣେ ତପନପୀଡ଼ିତା ପୃଥ୍ୱୀ ଦୀର୍ଘନିଃଶ୍ୱାସ ସମ ଉଷ୍ଣବାଷ୍ପ ତ୍ୟାଗ ପୂର୍ବକ ସ୍ୱ-ଅଙ୍ଗ ଶୀତଳ ବୋଧ କରିବାକୁ ଲାଗିଲେଣି । ବିହଙ୍ଗକୁଳ ଶୀତୋଷ୍ଣାନିଳହିଲ୍ଲୋଳିତ ପଲ୍ଲବମଣ୍ଡିତ ତରୁଶାଖାରେ ବସି ବୀଣାବିନିନ୍ଦିତ କଣ୍ଠ ଗୀତୋପଯୋଗୀ କରିବାକୁ ଲାଗିଲେଣି । ଏହି ସମୟରେ ସୁଦ୍ଧା ରତ୍ନପୁରପଲ୍ଲୀର ଏକପ୍ରାନ୍ତରେ ଗୋଟିଏ କ୍ଷୁଦ୍ର ଗୃହାଭ୍ୟନ୍ତରେ ଜଣେ ପ୍ରୌଢ଼ା ସ୍ତ୍ରୀ ‘‘ଧୋରେ ବାୟା ଧୋ’’ ପ୍ରଭୃତି ନାନାପ୍ରକାର ପିଲାଭଣ୍ଡାଇବା ଗୀତ ଗାଉ ଗାଉ ତାହାର ଶିଶୁ ସନ୍ତାନଟିକୁ ଶୁଆଉଅଛି-। ଶିଶୁଟି କିନ୍ତୁ ଶୋଉ ନାହିଁ, ବଡ଼ ବ୍ୟତିବ୍ୟସ୍ତ କରୁଛି – କେତେବେଳେ ଉଠି ବସୁଛି, କେତେବେଳେ ମା’ର ଲୁଗା ଧରି ଓଟାରୁଛି, କେତେବେଳେ ବା ମା’ର ବାଧାରେ ବିରକ୍ତ ହୋଇ କଅଁଳ ହାତରେ ମା’ର ମୁହଁକୁ ଚାପୁଡ଼ାଉଛି । ମା’ ମଧ୍ୟ କୃତ୍ରିମ କୋପ ପ୍ରକାଶ କରି ବେଳେ ବେଳେ ଡବା ଡବା ଆଖି ଦେଖାଉଛି, ଦାନ୍ତ କାମୁଡ଼ୁଛି; କିନ୍ତୁ ତତ୍‌ପର ମୁହୂର୍ତ୍ତରେ ଶିଶୁର ଚନ୍ଦ୍ରମୁଖ ମଳିନ ଦେଖି ଯତ୍‌ପରୋନାସ୍ତି ସ୍ନେହ ଓ ଆଦର କରୁଛି ।

 

ଏହିବାର କିନ୍ତୁ ଶିଶୁର ସାହସ ବଢ଼ିଗଲା । ସେ ଏକାବେଳକେ ବିଛଣାରୁ ଉଠି ବସି ଗୁରୁଣ୍ଡି ଯିବାକୁ ଉଦ୍ୟତ; ସୁତରାଂ ମା’କୁ ନିଷ୍ଠୁରତା ଆଚରଣ କରିବାକୁ ହେଲା ଏବଂ ଶିଶୁର କ୍ରନ୍ଦନ ଧ୍ୱନି ଦିଙ୍‌ମଣ୍ଡଳ ବ୍ୟାପିଗଲା । ଶିଶୁର ମୁଖଭାବ ଦେଖି ବୋଧ ହେଉଥିଲା ଯେପରି କି ସେ ଏହି ସଂସାରରେ ନିଜକୁ ଏକାବେଳକେ ନିଃସହାୟ ବୋଲି ମନେ କରୁଥିଲା; କିନ୍ତୁ ସୌଭାଗ୍ୟରେ ବିଷୟ, କିଏ ଜଣେ ସହାୟ ହଠାତ୍‌ ଆସି କ୍ରୋଡ଼ରେ ଉଠାଇ ନେଲା ଏବଂ ତତ୍‌କ୍ଷଣାତ୍‌ ସମସ୍ତ ଚୁପ୍‌ ଚାପ୍‌ ହୋଇଗଲା ।

 

ଆଗନ୍ତୁକଟି ଗୋଟିଏ ଚମ୍ପକବର୍ଣ୍ଣ ବିନିନ୍ଦିତା ରୂପସୀ ନାରୀ । ତାହାର ସୂକ୍ଷ୍ମ ଭ୍ରୂଲତାଚ୍ଛାଦିତ ଓ ଆକର୍ଣ୍ଣବିସ୍ତୃତ ମଦିରାକ୍ଷିଦ୍ୱୟ ଶୁକଚଞ୍ଚୁ ନାସିକାଦ୍ୱାରା ବିଭକ୍ତ ହେବାରୁ ଈଷତ୍‌ ରାଗରେ ଯେପରି ଉନ୍ମତ୍ତ-ବିମ୍ବୋଷ୍ଠ ଯୁଗଳ ଅନାଘ୍ରାତ ପୁଷ୍ପବତ୍‌ ରସରେ ଯେପରି ଢଳ ଢଳ – ଶୁକୋଦରକୋମଳ ଗଣ୍ଡସ୍ଥଳଦ୍ୱୟ ଓ ବର୍ତ୍ତୁଳୀକୃତ ଚିବୁକଟି ଘର୍ମସିକ୍ତ ହେବାରୁ ଏକ ଅପୂର୍ବ ସୌନ୍ଦର୍ଯ୍ୟରେ ବିଭାସିତ; ଦୋଷ ମଧ୍ୟରେ, କପୋଳ ଦେଶଟି ଟିକିଏ ଉଚ୍ଚ କିନ୍ତୁ ଇତଃସ୍ତତଃ ତରଙ୍ଗାୟିତ କେଶଦାମ ଦ୍ୱାରା କିୟତ୍‌ ପରିମାଣରେ ଆବୃତ ହେବାରୁ ଉଚ୍ଚତା ପ୍ରତୀୟମାନ ହେଉ ନାହିଁ । ଅନ୍ୟାନ୍ୟ ଅବୟବ ସମୂହ ବୟସାନୁଯାୟୀ ମନୋମୁଗ୍‌ଧକର । ବାଳିକାଟି ଏକେବାରେ ଅଳଙ୍କାରାଦି ରହିତା, ପରିଧାନରେ କେବଳ ଖଣ୍ଡେ ମୋଟା ଖଦି ।

 

ଆଗନ୍ତୁକ—ନଫର-ମା, ନଚ୍ଛୁ କାନ୍ଦୁଥିଲା କାହିଁକି ?

 

ନଫର-ମା’-ବିମଳା ! କଣ କହିବି, ସେ ଦିନକୁ ଦନ ବଡ଼ ଦୁଷ୍ଟ ହେଉଛି । ଦିନଯାକ ଆଜି କୀର୍ତ୍ତନ କରୁଛି, ଶୋଇବା ନା’ ଧରୁ ନାହିଁ । ତା ସାଙ୍ଗେ ଲାଗି ଲାଗି ଦେଖ ସଞ୍ଜ ଆସି ହେଲାଣି ।

 

ବିମଳା-ମା, ଇୟା ବୋଲି କଣ ତାକୁ ମାଇଲୁ ? ଆହା ଦେଖନି ଭଲା, କେମନ୍ତ ସୁନା ପିଲାପରି ମୋର କାଖ ହୋଇଛି । ହାଇ ଉଠିଲାଣି, ଶୋଇବ ।

 

ନଛୁ କାନ୍ଦି କାନ୍ଦି ବଡ଼ ଅବସନ୍ନ ହୋଇ ପଡ଼ିଥିଲା । ଏହି ଅବସରରେ ନିଦ୍ରାଦେବୀ ଜୟ ଅବଶ୍ୟମ୍ଭାବୀ ଭାବି ଆକ୍ରମଣାର୍ଥ ଉଦ୍ୟୋଗ କରୁଥିଲେ । ଏଆଡ଼େ ଚକ୍ଷୁ-ଦୁର୍ଗ ବିପଦ ଗଣି ପଲ୍ଲବ-ଫାଟକଦ୍ୱାରା ବୀଜକୁ ଆସ୍ତେ ଆସ୍ତେ ବନ୍ଦ କରି ଆଣୁଥିଲା । ବିମଳା ମଧ୍ୟ ଶତ୍ରୁର ଅଦୂରେ ଆଗମନ ଦେଖି ଆଗହୁଁ ନଛୁର ମସ୍ତକ ସ୍ୱସ୍କନ୍ଧଦେଶରେ ସ୍ଥାପନ ପୂର୍ବକ ସ୍ନେହଭରରେ ଚାପୁଡ଼ାଉ ଚାପୁଡ଼ାଉ ନଫର-ମା’କୁ କହିଲା, ‘‘ଚଚ୍ଚାବୁଢ଼ା ଘରେ ନାହାନ୍ତି କିଲୋ ?’’

 

ନଫର-ମା—‘‘ନା ସେ ବିଲକୁ ଯାଇଛନ୍ତି’’

 

କ୍ଷଣାନ୍ତରେ ଦୀର୍ଘ ନିଃଶ୍ୱାସ ତ୍ୟାଗ କରି ପୁଣି କହିଲା, ‘‘ନଫର କଣ ଆଉ ଏବେ ବିଲକୁ ଯାଉଚି, ବିମଳି ? ସେ ବଡ଼ ବିଗଡ଼ି ଗଲାଣି ।’’

 

ଏହି ସମୟରେ ପାଠକେ ଯେବେ ବିମଳା ଆଡ଼କୁ ନଜର କରିଥିବେ, ତାହାହେଲେ ଦେଖି ପାରିଥିବେ, ଲଜ୍ଜା ଓ ଘୃଣାବ୍ୟଞ୍ଜକ କିପରି ଗୋଟିଏ ରକ୍ତ ପ୍ରବାହ ତାର ଗଣଦେଶ ପ୍ଲାବିତ କର ତତ୍‌କ୍ଷଣାତ୍‌ ଅନ୍ତର୍ହିତ ହୋଇଗଲା ଏବଂ ସେ କହିଲା ‘‘ନଫର-ମା’ ! ନନା ଆଜି ହରିହରପୁର ଯିବେ; ମାଧବ ସୋଇଁ ଘରେ ପୂଜା । ପୂଜା ସାରି ଆସୁ ଆସୁ ବୋଧହୁଏ କାଲି ଏତେବେଳ ହେବ କଣ ହେବ । ଆଜି ରାତିରେ-’’

 

ନଫର-ମା—ଘରେ ଶୋଇବା କଥାତ – ହଉ, ତୋର ଚଚ୍ଚା ହେଉ ବା ନଫର ହେଉ ଯା’କୁ ହେଲେ ପଠାଇ ଦେବି ।

 

‘ନଫର ହେଉ’ ଏକଥା ଶୁଣିବା ମାତ୍ରକେ ବିମଳାର ଗାତ୍ର କମ୍ପନ ହେଲା ଓ ସେ ତାହା ଅତି ସାବଧାନ ପୂର୍ବକ ନଫର-ମା’ ଦୃଷ୍ଟିରୁ ସଂବରଣ କରି ନଛୁ ଆଡ଼କୁ ଅନାଇ କହିଲା, ‘‘ନଫର-ମା’-। ନିଅ ପୁଅକୁ ନିଅ, ଶୋଇ ପଡ଼ିଲାଣି ।’’

 

ନଫର-ମା ଶିଶୁଟିକୁ ବିମଳା କୋଳରୁ ନେଉଁ ନେଉଁ ଦୀର୍ଘ ନିଃଶ୍ୱାସ ତ୍ୟାଗ କରି କହିଲା, ‘‘ବିମଳା, ନଛୁ ଯେମିତି ତମର । ଆହା, ତମର ଗୋଟିଏ ଏମିତି ପିଲା ଥାନ୍ତା କି !’’

 

ଆମ୍ଭେ କହି ନ ପାରୁଁ ବିମଳା ଆଉ କଥାବାର୍ତ୍ତା କରିଥାନ୍ତା କି ନାହିଁ କିନ୍ତୁ ଏତେକ ଶୁଣିବା ମାତ୍ରକେ ଲଜ୍ଜାରେ ହେଉ ବା ଦୁଃଖରେ ହେଉ କିଛି ନ କହି ନଫର-ମା’କୁ ଶିଶୁଟି ପ୍ରଦାନ କରି ଚାଲିଗଲା ।

 

 

ଦ୍ୱିତୀୟ ପରିଚ୍ଛେଦ

ବାଟରେ

 

ନଫର-ମା’ର ଘରୁ ବିମଳା ଯେତେବେଳେ ବାହାର ହେଲା ତେତେବେଳେ ସନ୍ଧ୍ୟାର ଛାୟା ପୃଥିବୀକି ଆବରଣ କରି ଆସିଲାଣି । ମଙ୍ଗଳ ତାରା ଝକ୍‌ ମକ୍‌ କରୁ କରୁ ଆଗହୁଁ ପଶ୍ଚିମାକାଶ ଅଧିକାର କରି ବସିଲାଣି । ବିମଳା ଦାଣ୍ଡରେ ଗୋଡ଼ ନ ପକାଉଣୁ ପ୍ରଥମେ ସେହି ଅଲକ୍ଷଣା ତାରାଟା ତାହାର ଦୃଷ୍ଟି ଆକର୍ଷଣ କଲା । ବିମଳା କମ୍ପିତ ହୃଦୟରେ ଅନ୍ୟ ଦୁଇଗୋଟି ନକ୍ଷତ୍ର ସକାଶେ ସମସ୍ତ ଆକାଶ ମଣ୍ଡଳ ଖୋଜି ପକାଇଲା; କିନ୍ତୁ ସମସ୍ତ ବୃଥା । ଏକ ସ୍ଥାନରେ ଛିଡ଼ା ହେବା ନିଷ୍ଫଳ ମନେ କରି ବମଳା ନିରାଶ ହୃଦୟରେ ଧୀରେ ଧୀରେ ପଦବିକ୍ଷେପ କରୁ କରୁ ଓ ଥରେ ଥରେ ଆକାଶ ଆଡ଼କୁ ଅନାଉଁ ଅନାଉଁ ସ୍ୱ-ଭବନାଭିମୁଖେ ଅଗ୍ରସର ହେଲା । ବାଟରେ ଯାଉଁ ଯାଉଁ କାଳିଆ-ମା’, କାର୍ତ୍ତିକା-ମା’ ପ୍ରଭୃତି କେତେକ ଗ୍ରାମ୍ୟ ସୀମନ୍ତିନୀଙ୍କ ସଙ୍ଗେ ଦେଖା ହେଲା । ସେମାନଙ୍କ ମଧ୍ୟରୁ କେହି କଳସୀ-କକ୍ଷା, କେହିବା ଶୂନ୍ୟହସ୍ତା । କାଳିଆ-ମା’ ଦକ୍ଷିଣ ବାହୁଲତାବଦ୍ଧ ସ୍ୱ-କକ୍ଷସ୍ଥ କଳସୀଟିକୁ ବାମବାହ୍ୟାଚ୍ଛାଦିତ କରି କହିଲା, ‘‘କିଲୋ ବିମଳା । କୁଆଡ଼େ ଯାଇଥିଲୁ କି ?’’

ବିମଳା—ହାନିଫ୍‌ ମିଆଁ ଘରକୁ ଯାଇଥିଲି ।

କାଳିଆ-ମା ମୁଚୁକି ମୁଚୁକି ହସି କହିଲା, ‘‘କିଲୋ ଏ ମୁହଁ ସଞ୍ଜଟାରେ ସେ ପଠାଣ ଘରଟାକୁ କାହିଁକି ଯାଇଥିଲୁ ?’’ ବିମଳା ଟିକିଏ ଚମକି ଉଠିଲା; କିନ୍ତୁ ତତ୍‌କ୍ଷଣାତ୍‌ ସେହି ଭାବ ଗୋପନପୂର୍ବକ ସରଳ ଭାବରେ କହିଲା, ‘‘ଆଜି ରାତିରେ ବାପା ପାଲା କରିବାକୁ ଯିବେ ଯେ ସେଥିପାଇଁ ଚଚ୍ଚାକୁ ଆମଘରେ ଶୋଇବା ସକାଶେ ଡାକି ଯାଇଥିଲି । ସଞ୍ଜହୋଇ ଆସିଲାଣି ବାପା ତରତର ହେଉଥିବେ ମୁଁ ଯାଉଚି ।’’ ଏହା କହି ବିମଳା ଦ୍ରୁତପଦରେ ଚାଲିଗଲା ।

ପାଠକେ ଏହିଥର ଟିକିଏ ମୁଷ୍କିଲରେ ପଡ଼ିଥିବେ, ବିମଳା ସାଙ୍ଗେ ଯିବେ, ନା ଗ୍ରାମ୍ୟ ସୀମନ୍ତିନୀମାନେ କଣ କଥା ବାର୍ତ୍ତା କରୁଅଛନ୍ତି ଶୁଣିବେ । ଶୁଣ ଶୁଣ, ବାଟରେ ଚାଲୁ ଚାଲୁ କାର୍ତ୍ତିକା-ମା’ କହିଲା, ହଇଲୋ, କାଳିଆ-ମା’, ସତେ କଣ ବିମଳା ଏମିତି ?’’

କାଳିଆ-ମା—ଘରବୁଡ଼ି ପାଣି ଆଣ୍ଠିଏ ହେଲାଣି କଣା କହୁଚି ମେଘ ଦୁଲୁକୁଚି ଗାଁରେ ପରା ହାଟ ବସିଲାଣି !

କାର୍ତ୍ତିକା-ମ’—କେ ଜାଣିଲୋ, ଆମେ କାହିଁକି ଏତେ ଖବର ରଖିବା?

୧ମ ସୀମନ୍ତିନୀ—ନଫରଟା ଏଡ଼େ ଖେଚଡ଼ା ବୋଲି ମୁଁ ଜାଣି ନ ଥିଲି ।

କାଳିଆ-ମା—ଆଉ ବିମଳା କଣ ଭଲ ? ଏକେ ରାଣ୍ଡ, ତା’ ଉପରେ ଯୌବନର ଭରାନଦୀ । ଆଚ୍ଛା, ତାର ନଫର ସଙ୍ଗେ କଥା ବାର୍ତ୍ତା କରିବା କି ଦରକାର ?

୨ୟ ସୀମନ୍ତିନୀ-କାଳିଆ-ମା’, ତୁ ଯା’ କହ, ମୁଁ ସେହି ଦଇଜଣଙ୍କୁ ଭାଇ ଭଉଣୀ ବୋଲି ମନେ କରେ । ହାନିଫ୍‌ ତାଙ୍କର କେତେ ଦିନର କୋଠିଆ, ନଫର ଆଉ ବିମଳା ପିଲାଦିନୁ ଏକାସାଙ୍ଗେ ଖେଳିବୁଲି ଆସୁଛନ୍ତି, ଏବେ କଥା କହିଲା, ମିଶିଲା ବୋଲି କଣ ଦୋଷ ହୋଇଗଲା ?

କାଳିଆ-ମା—ତୁଟା ନ ଜାଣି କଥା କହୁ କାହିଁକି ? ତୁ ଭଲ ବୋଲି କ’ଣ ଦୁନିଆ ଭଲ-? ଆଜି କାଲି କଳିକାଳ ଟୋକା ଟୋକିଙ୍କ କଥା କ’ଣ ଜାଣୁନାହୁଁ ? ଆଚ୍ଛା କହିଲୁ ଭଲା, ବିମଳାପରି କେଉଁ ରାଣ୍ଡଝୁଅଟା ଆମ ଘରେ ପାଠ ପଢ଼ୁଛି ?

ଏହିପରି କଥା ବାର୍ତ୍ତା ହେଉଁ ହେଉଁ ସେମାନେ ହାନିଫ୍‌ ଗୃହର ଅନତିଦୂରବର୍ତ୍ତୀ ଗୋଟିଏ ପୁଷ୍କରିଣୀସମୀପରେ ଆସି ଉପସ୍ଥିତ ହେଲେ । ପୁଷ୍କରିଣୀଟି ନାତିବୃହତ୍‌, ନାତିକ୍ଷୁଦ୍ର; ସ୍ନାନାଦି କାର୍ଯ୍ୟ ସକାଶେ ବେଶ ଉପଯୁକ୍ତ । ପୁଷ୍କରିଣୀର ପୂର୍ବଦିଗରେ ଗୋଟିଏ ପ୍ରସ୍ତର ନିର୍ମିତ ପୁରାତନ ଘାଟ ଅଛି-। ସେହିଠାରେ ଆସି ସମସ୍ତ ଠୁଳ ହେଲେ । କେହି ପାଣି ଭିତରେ ଓହ୍ଲାଇ ଲୁଗା କାଚିବାକୁ ଲାଗିଲା, କେହି ବା ସେହିଠାରେ କଳସୀଟି ସ୍ଥାପନପୂର୍ବକ ବହିର୍ଦ୍ଦେଶକୁ ଗଲା, ଏହିପରି ନାନାଦି କାର୍ଯ୍ୟରେ ସମସ୍ତେ ବ୍ୟାପୃତ ହୋଇଗଲେ । କାଳିଆ-ମା’ କିନ୍ତୁ ଲୁଗାକାନି ଦେଇ ଅଙ୍ଗାରବିନିନ୍ଦିତ ସ୍ୱଚରଣଟିକୁ ମାର୍ଜନା କରୁ କରୁ କହିଲା, ‘ବୁଝିଲୁନା, ଦନେଇ ମା’, ନଫରଟା ଆଗେ ବଡ଼ ଭଲ ଥିଲା; କିନ୍ତୁ ଆମ ଗାଁ ବଳିଆ ସାଙ୍ଗେ ପଡ଼ି ମଦଖାଇଲା ଦିନଠୁ ଖରାପ ହୋଇ ଗଲାଣି, ନଫର-ମା’ ତା ସକାଶେ ସରି ଗଲାଣି ପରା” ।

ଦନେଇ-ମା—ଯାଆମ ଆମର ସେଥିରେ କ’ଣ ଅଛି । ପରପୁଅ ମଲା, ନା ରୋଗ ବାହାରେ ବାହାରେ ଗଲା ।

କାଳିଆ ମା- ବ୍ରାହ୍ମଣ ଝୁଅ, ହାଟୁଆଘର ସେହି ସକାଶେ ଭାବନା ସିନା । ଦନେଇ-ମା ଯେ ଯେମିତି କରିବ ସେ ସେମିତି ପାଇବ । ‘କରମେ ଅଛି ଯା ଲିଖନ, କରିବ କେ ତାହା ଖଣ୍ଡନ, ଆମର କ’ଣ ଅଛି ଲୋ, ଦେଖ ଅନ୍ଧାର ହୋଇ ଆସିଲାଣି ।

ଏହା କହି ଦନେଇ ମା’ ବ୍ୟସ୍ତତ୍ରସ୍ତ ହୋଇ ନିମେଷରେ ନିଜର ଶୌଚକାର୍ଯ୍ୟ ସମ୍ପାଦନ ପୂର୍ବକ ଆନୀତ ଶୂନ୍ୟ କଳସୀଟିକୁ ଜଳପୂର୍ଣ୍ଣ କରି ପ୍ରତ୍ୟାବର୍ତ୍ତନ କଲା ।

 

ତୃତୀୟ ପରିଚ୍ଛେଦ

ଯାତ୍ରା

 

ଦନେଇ-ମା ଯାଉଚି । ଚାଲ, ପାଠକେ, ଏହି ଅବସରରେ ବିମଳା ଗାଁ ଆଡ଼େ ଯିବା ! ଗାଁ କଥା, ବିମଳାଘର ଖୋଜି ନେବାକୁ ବେଶି କଷ୍ଟ ହେବ ନାହିଁ; ତେବେ ସଞ୍ଜ ହୋଇ ଆସିଲାଣି, ଭୟ କଅଣ ? ଦନେଇ-ମା’ ସଙ୍ଗରେ ଅଛି । ବିମଳାଙ୍କ ଗ୍ରାମ ଓ ଆମ୍ଭମାନଙ୍କର ସେହି ପରିଚିତ ପୁଷ୍କରିଣୀ ମଧ୍ୟରେ ଗୋଟିଏ ବିସ୍ତୀର୍ଣ୍ଣ ପ୍ରାନ୍ତର ବ୍ୟବଧାନ । ସେହି ପ୍ରାନ୍ତର ଅତିକ୍ରମ କରି ଦନେଇ-ମା’ ପ୍ରଥମେ ଗୋଟିଏ କିଆବୁଦା ପୂର୍ଣ୍ଣ ସ୍ତୂପାକାରାବିଶିଷ୍ଟ କୋଠା ସନ୍ନିକଟରେ ଉପସ୍ଥିତ ହେଲା । ସେହି ସ୍ତୂପଟି ଗ୍ରାମାରମ୍ଭର ଗୋଟିଏ ନିଶାଣ । ତତ୍‌ପର ଗୋଟିଏ ଅପରିସର ରାସ୍ତା ପଡ଼ିଲା । ଦୁଇ ପାର୍ଶ୍ୱରେ କଣ୍ଟା ବା କିଆବାଡ଼ ପରିବେଷ୍ଟିତ ମଉଡ଼ମରା ଘରସମୂହ । ସନ୍ଧ୍ୟା ହେବାରୁ କେଉଁଠାରୁ ଦୀପର ଝକ୍‌ ଝକ୍‌ ଆଲୋକ ଦୂର ଆକାଶସ୍ଥ ତାରକା ସହିତ ପ୍ରତିଦ୍ୱନ୍ଦିତାରେ ପ୍ରବୃତ୍ତ, କେଉଁଠାରେ ବା ବଳଦ ଗଳସ୍ଥ ଘାଁଗୁଡ଼ି ଘଣ୍ଟାଧ୍ୱନି, ଝିଁ ଝିଁ ପୋକର ଅବିଶ୍ରାନ୍ତ ଝିଁ ଝିଁ ରବକଟୁତା ନିବାରଣରେ ମତ୍ତ । ଏହିପରି ଅବସ୍ଥାରେ କିଛିଦୂର ଗଲାପରେ ଗୋଟିଏ ଶାଖା ରାସ୍ତା ପଡ଼ିଲା । ଏହି ରାସ୍ତାଟି ପଣ୍ଡାସାହି ଦେଇ ଯାଇଅଛି । ବ୍ରାହ୍ମଣସାହି ବୋଲି ଚିହ୍ନିବାକୁ କଷ୍ଟ ହେଲା ନାହିଁ । କାରଣ କେଉଁଠାରେ ଭାଗବତ ବୋଲା ହେଉଛି, କେଉଁଠାରେ ମନ୍ତ୍ରୋଚ୍ଚାରଣ ପୂର୍ବକ ସନ୍ଧ୍ୟାଦେବୀ ଆରାଧିତା ହେଉଅଛନ୍ତି, କେଉଁଠାରେ ବା ଥୋକେ ଶୁଭ୍ରୋପବୀତଧାରୀ ପିଲାଏ ଗୋଟିଏ ଆଲୋକ ପରିବେଷ୍ଟନ କରି କ୍ରୀଡ଼ାରେ ମତ୍ତ । କିନ୍ତୁ ପାଠକେ ! ଥରେ ଚାହିଁଲ, ସଞ୍ଜବତୀ ହସ୍ତରେ ସେହି ଉଚ୍ଚପିଣ୍ଡା ଉପରେ କିଏ ଜଣେ ଛିଡ଼ା ହୋଇଛି । ଇଏ ଆଉ କେହି ନୁହେ, ଆମ୍ଭର ପରିଚିତା ବିମଳା । ବିମଳା ବାରନ୍ଦାରେ ସଞ୍ଜବତୀ ଥୋଇଦେଇ ଓଳଗିହେଲା ଓ ଅସ୍ପଷ୍ଟ ସ୍ୱରରେ କ’ଣ ଗୁଣ ଗୁଣ ହୋଇ ପୁଣି ଓଲଗି ହେଲା,ତତ୍‌ପରେ ଘର ଦ୍ୱାର ଦେଇ ଭିତରକୁ ପ୍ରସ୍ଥାନ କଲା ।

 

ପାଠକେ ! ଆଶାକରେଁ, ଆପଣାମାନେ ମଧ୍ୟ ଅଲକ୍ଷିତେ ବିମଳାର ଘର ଭିତରେ ପ୍ରବେଶ କରିଅଛନ୍ତି ।

 

ବିମଳା ଧୀର ପଦବିକ୍ଷେପରେ ବାହାର ଘର ପାର ହୋଇ ଗୋଟିଏ ଅଗଣାରେ ଉପନୀତ ହେଲା । ଅଗଣାର ଚତୁର୍ଦ୍ଦିଗରେ ବେଶ ଉଚ୍ଚ ଉଚ୍ଚ ଘର ସମୂହ ଖାଲି ଗୋଟାଏ କରକୁ ଖଣ୍ଡେ ଚାଳିଆ, ବୋଧହୁଏ ରୋଷାଇ ବାସ କରିବା ସକାଶେ । ବିମଳା ଲମ୍ବେ ଲମ୍ବେ ସେହି ଘରଆଡ଼େ ଚାଲିଗଲା ।

 

ପାଠକେ ! ଦେଖିପାରୁଛକି ସେହି ଚାଳିଆଘର ସମ୍ମୁଖସ୍ଥ ଗୋଟିଏ ଆଲୋକିତ ଘରେ ବସି ଜଣେ ପୁରୁଷ କି କାର୍ଯ୍ୟ କରୁଁ କରୁଁ ସଚକିତେ ଲୋକପଦ ଶବ୍ଦ ଶୁଣି ବିମଳାକୁ ଦେଖି ସ୍ୱ-କାର୍ଯ୍ୟରେ ପୁନଃ ପ୍ରବୃତ୍ତ ହେଲା । ଲୋକଟି ସମ୍ମୁଖରେ ଗୋଟିଏ କ୍ଷୁଦ୍ର ଆଦର୍ଶ ସ୍ଥାପନପୂର୍ବକ ନିବିଷ୍ଟ ହୃଦୟରେ ମସ୍ତକବିଲମ୍ବୀ ତୈଳାକ୍ତ କେଶଗୁଛକୁ ପାନିଆ ଦ୍ୱାରା କୁଣ୍ଡାଉ ଅଛି । ଲୋକଟିର ଏତେ ଛଇ କାହିଁକି ? ପୁଣି ଦେଖ, ହାତରେ ରୂପାର ବଳା, ଅନନ୍ତବ୍ରତ, ବେକରେ ରୁଦ୍ରାକ୍ଷମାଳା, ଅଣ୍ଟାରେ ରୂପାର ଗୋଠଏ ସବୁ କ’ଣ ? ମରଦ ପୁଅ ଆସି ମରିବା ଉପରେ ବସିଲାଣି ଏତେ ସୁଖ କାହିଁକି-? ପାଠକେ ! ଚିହ୍ନି ପାରୁଛ କି ? ଇଏ ଆଉ କେହି ନୁହେ, ବିମଳାର ପାଲାବାଲା ବାପ-ରାମପଣ୍ଡା-!

 

ରାମପଣ୍ଡା ଘରେ ଯେତେଦୂର ସାଜ ସଜ୍ଜାଦି ପ୍ରୟୋଜନୀୟତା ସାରି ଡାକିଲା ‘‘ବିମଳି ! କଣ ଗଣ୍ଡାଏ ଆଣ ।’’

 

ବିମଳା—ଚାଲ, ନେଇ ଯାଉଚି ।

 

ଏହି ଉତ୍ତରର କିୟତ୍‌କ୍ଷଣପରେ ବିମଳା ବାମ ହସ୍ତରେ କଂସା ଓ ଅପର ହସ୍ତରେ ମୁଷ୍ଟୀକୃତ ଅନ୍ୟ କି ଦ୍ରବ୍ୟ ଧାରଣ ପୂର୍ବକ ପ୍ରୋକ୍ତ ଚାଳିଆରୁ ବାହାରି ଆସି ଆନୀତ ଦ୍ରବ୍ୟମାନ ପିତା ସମ୍ମୁଖରେ ସ୍ଥାପନ କଲା ।

 

କଂସାଟି ଚୂଡ଼ା, ଦହି ଓ ଗୁଡ଼ରେ ପୂର୍ଣ୍ଣ । ପଣ୍ଡାଏ ପାର୍ଶ୍ୱସ୍ଥାପିତ କିଞ୍ଚିତ ଲବଣ ଗ୍ରହଣ ପୂର୍ବକ କଂସାସ୍ଥ ଦ୍ରବ୍ୟସହ ମିଶ୍ରିତ କରି ଚକଟିବାକୁ ଲାଗିଲେ । ତଦନ୍ତର ନିକଟସ୍ଥ ଲୋଟାରୁ ଉଦକ ଗ୍ରହଣ କରି ଗଣ୍ଡୂଷ ସମ୍ପାଦନ କଲେ ଓ ଦକ୍ଷିଣ ହସ୍ତ ଚଳାଇବାକୁ ଆରମ୍ଭ କଲେ ।

 

ଏହାପର ବିମଳା ଚାଳିଆ ଆଡ଼େ କ’ଣ ଭାବି ପ୍ରତ୍ୟାବର୍ତ୍ତନ କରୁଥିଲା । ଏହି ସମୟରେ ଦାଣ୍ଡଘରୁ ଗୋଟାଏ ଖଡ଼ ଖଡ଼ ଶବ୍ଦ ଶ୍ରୁତି ଗୋଚର ହେଲା ।

 

ପଣ୍ଡାଏ ପାଟିକରି ଉଠିଲେ, ‘‘କିଏ ସେ ?’’ କୌଣସି ଉତ୍ତର ନ ପାଇ ନିଜେ ଗ୍ରାସ ଉପରେ ବସିଥିବାରୁ ଉଠିଯାଇ ନ ପାରି ବିମଳାକୁ କହିଲେ, ‘‘ବିମଳା । ଦେଖିଲୁ ହାନିଫ୍‌ ମିଆଁ ଆସିଲାଣି କି ?’’ ବିମଳା ରୋଷେଇଘର ଡିବିରି ନେଇ ବାହାର ଘର ଦ୍ୱାର ଫିଟାଇ ଦେଖିଲା, କେହିନାହିଁ । କିଛିକ୍ଷଣ ଦାଣ୍ଡକୁ ଡିବିରି ବଢ଼ାଇ ବୃଥା ଏପାଖ ସେପାଖ ନିରୀକ୍ଷଣ କଲାପରେ ସ୍ୱଳ୍ପ କମ୍ପିତକରରେ ଦ୍ୱାର ବନ୍ଦ କରିଦେଇ ଆସି ବାପାକୁ କହିଲା, ‘‘କାହିଁ କେହି ନାହିଁ ତ ?’’

 

ପଣ୍ଡା—ତେବେ ବୋଧହୁଏ ବିଲେଇ ଖଡ଼ ଖଡ଼ କଲା କି କଣ ।

 

ବିମଳା—ହେଇଥିବ : ହାନିଫ୍‌ ଚଚ୍ଚା ଆସିଥିଲେ, ନ ଡାକି ଦ୍ୱାର ଖଡ଼ ଖଡ଼ କରନ୍ତା କାହିଁକି କଲେ ବା କୁଆଡ଼େ ଚାଲିଯାନ୍ତା କାହିଁକି ।

 

ପଣ୍ଡାଏ ଆଉ କୌଣସି ବାକ୍ୟ ବ୍ୟୟ ନ କରି ନିଜର ଖାଦ୍ୟ ସମାଧାନ-ପ୍ରବୃତ୍ତ ହୋଇଗଲେ ।

 

ଭୋଜନାନନ୍ତର ଶୌଚକ୍ରିୟା ସମ୍ପାଦନ ପୂର୍ବକ ଘରେ ବସି ବଟୁଆ ନେଇ ପାନ ଭାଙ୍ଗୁ ଭାଙ୍ଗୁ ରାମପଣ୍ଡା ବିମଳା ସହିତ ନାନା କଥା ପ୍ରସଙ୍ଗରେ ଶେଷକୁ କହିଲେ, ‘‘ମୋର ଡେରି ହେଇ ଯାଉଛି ।’’

 

ବିମଳା—କାହିଁ ବୁଢ଼ାଚଚ୍ଚାତ ଏତେବେଳଯାଏ ଆସିଲା ନାହିଁ ।

 

ପଣ୍ଡା—ମୁଁ ତେବେ ତାକୁ ଡାକିଦେଇ ଯିବି । ଏକା ଘରେ ରହି ପାରିବୁ ତ ?

 

ବିମଳା ପ୍ରଥମେ ଇତସ୍ତତଃ କରୁଥିଲା । କିନ୍ତୁ ଶେଷକୁ କହିଲା ‘‘ହଁ ପାରିବି, ଟିକିଏ ଜଲଦି ପଠାଇ ଦେବୁ ।’’

 

ପଣ୍ଡା—‘‘ନିଶ୍ଚୟ ।’’

 

ଏହା କହି ପଣ୍ଡାଏ ପାନ ଖଣ୍ଡିକ ମୁହଁରେ ଯାକି ଦେଲେ ଓ କେତେଗୁଡ଼ିଏ ଆବଶ୍ୟକୀୟ ଜିନିଷ ପତ୍ର ଜାଉଁଳି କରି କାନ୍ଧରେ ପକାଇ ଗୋଟାଏ ମୋଟା ଠେଙ୍ଗା ଧାରଣ ପୂର୍ବକ ବିମଳା ସହିତ ଦାଣ୍ଡଦ୍ୱାର ପର୍ଯ୍ୟନ୍ତ ଆସି ଏକାକୀ ଅନ୍ଧକାରମୟ ରାସ୍ତାରେ ବିଲୀନ ହୋଇଗଲେ ।

 

ଚତୁର୍ଥ ପରିଚ୍ଛେଦ

ଡକାଇତି

 

ଯେତେ ବେଳଯାଏ ପଣ୍ଡା ଦୃଷ୍ଟି ବହିର୍ଭୂତ ହୋଇ ନ ଥିଲେ, ତେତେବେଳଯାଏ ବିମଳା ଏକ ଦୃଷ୍ଟିରେ ତାଙ୍କୁ ଅନାଇ ରହିଥିଲା । ସେ ଦୃଷ୍ଟ୍ୟାନ୍ତର୍ହିତ ହେବା ମାତ୍ରକେ ବିମଳାକୁ ସ୍ୱପ୍ନୋତ୍‌ଥିତ ନିଦ୍ରିତବ୍ୟକ୍ତି ପରି ହଠାତ୍‌ ଚମକିପଡ଼ି ଗୃହାଭ୍ୟନ୍ତରେ ପ୍ରବେଶ କଲା ଓ କମ୍ପିତ ହସ୍ତରେ ଦ୍ୱାର ଜଞ୍ଜିରଟି ଦେବାକୁ ଲାଗିଲା । ଜଞ୍ଜିର କିନ୍ତୁ ବେଳ ଜାଣି କୌତୁକ କରିବାକୁ ବସିଲା । ବିମଳା ଯେତେ ଚେଷ୍ଟା କରୁଥାଏ ଜଞ୍ଜିରକୁ ଅଟକାଇ ରଖିବ ସେ ସେତିକି ଜୋରକରି ଖସି ପଡ଼ୁଥାଏ, ଅବଶେଷେ ବିମଳା ସାହସ ପୂର୍ବକ ହୃଦୟ ସଂଯତ କରିବାକୁ ଲାଗିଲା ଏବଂ ଜଞ୍ଜିରଟି କେରଳକୋଚ୍ଚାରିତମନ୍ତ୍ରମୁଗ୍‌ଧ ସର୍ପବତ୍‌ ବିମଳାର ବାହୁଲତାର ଇଶାରାମାତ୍ରେ ଅଭୀଷ୍ଟ ସ୍ଥାନ ଅଧିକାରକଲା ।

ଅନନ୍ତର ବିମଳା ଗୁରୁ ପଦବିକ୍ଷେପରେ ଅଗଣା ପାର ହୋଇ, ଲମ୍ବେ ଲମ୍ବେ ପଣ୍ଡାଏ ଯେଉଁ ଘରେ ଥିଲେ ସେହି ଘରେ ପ୍ରବେଶ କଲା । ଘରେ ଅଇଣ୍ଠା କଂସା ପଡ଼ିଛି, ପିଣ୍ଡାରେ ଲୋଟା ରହିଛି ଇତ୍ୟାଦି ବିଷୟରେ କିଛି ନଜର ନ ଦେଇ ଘର କୋଣରୁ ମସିଣାଟାଏ ଟାଣିଆଣି ତଳେ ଲମ୍ବମାନ କରିଦେଲା ଏବଂ ନିଜେ ମଧ୍ୟ ତଦୁପରି ଲମ୍ବମାନା ହୋଇ ଭାବିବାକୁ ଲାଗିଲା, ‘‘ସେ କା’ର ଖଡ଼ ଖଡ଼ ଶବ୍ଦ ? ବିଲେଇର ବୋଲିତ ମୋର ବୋଧ ହେଉ ନାହିଁ । ସ୍ପଷ୍ଟ ଶୁଣାଗଲା ଯେମିତିକି କେହି ଦ୍ୱାର ଜଞ୍ଜିର ଧରି ହଲାଉ ଥିଲା । ତେବେ କ’ଣ କେହି ଚୋର ଆସିଥିଲା, ବାପାଙ୍କ ପାଟି ଶୁଣି ପଳାଇଗଲା- ନଫର ନୁହେଁ ତ ? ତା’ ମା’ କହିଥିଲା, ‘ହାନିଫ୍‌ ହେଉ ବା ନଫର ହେଉ ଯାହାକୁ ହେଲେ ପଠାଇ ଦେବି ।’ ଯେବେ ନଫର ଆସିଥିଲା ତେବେ ସେ ଏପରି ଭାବେ ପଳାଇଲା କାହିଁକି ? ନିଶ୍ଚୟ କୌଣସି କୁଉଦ୍ଦେଶ୍ୟରେ ଆସିଥିଲା । ହେ ଈଶ୍ୱର । ମୋତେ ଥରେ ସେହି ପାମର ହାତରୁ ରକ୍ଷା କରିଅଛ, ଆଉ ଯେପରି ତା ହାତରେ ନ ପକାଅ !’’ ଏହିପରି ଭାବୁ ଭାବୁ ବିମଳାର ଟିକିଏ ତନ୍ଦ୍ରାବେଶ ହେଲା । ମୁହୂର୍ତ୍ତମାତ୍ର ସେ ଚକ୍ଷୁ ମୁଦ୍ରିତ କରିଛି ଏପରି ସମୟରେ ପୁଣି ପୂର୍ବବତ୍‌ ଖଡ଼ ଖଡ଼ ଶବ୍ଦ ତାର କର୍ଣ୍ଣକୁହରରେ ପ୍ରବେଶ ହେବାକୁ ଲାଗିଲା । ସେ ପ୍ରଥମେ ଏହାକୁ ପୂର୍ବସ୍ମୃତିଜନିତ ଚିତ୍ତର ବିକାର ମନେ କରି ଖାତିର କଲା ନାହିଁ; କିନ୍ତୁ ଉକ୍ତ ଖଡ଼ ଖଡ଼ ଶବ୍ଦ ଅବିରାମ ଭାବେ କର୍ଣ୍ଣପଟେ ବାଜିବା ଦେଖି କମ୍ପିତ କଳେବରରେ ଶଯ୍ୟାରୁ ଉଠି ବସିଲା ଓ ଭୟରେ ଜଡ଼ ସଡ଼ ହୋଇଗଲା; ମାତ୍ର ସାହସ କରି ପାଟିକଲା, ‘‘କିଏ ସେ ?’’ ବାହାରୁ ଉତ୍ତର ଆସିଲା, ‘‘ହାମ’’ ।

ବିମଳା ‘‘ହା’’ ଏହି ଅକ୍ଷରଟି ଉଚ୍ଚାରିତ ହେଉଣୁ ନ ହେଉଣୁ ନିମିଷରେ ଗାତ୍ରୋତ୍‌ଥାନପୂର୍ବକ ଏକ ଲମ୍ପରେ ଯାଇ ଦାଣ୍ଡଦ୍ୱାରେ ହାଜିର ହେଲା ।

ଦାଣ୍ଡଦ୍ୱାର ଫିଟାଇ ବିମଳା ଯାହା ଦେଖିଲା, ସେଥିରେ ତାହାର ଚକ୍ଷୁ ଏକାବେଳେକେ ସ୍ଥିର ହୋଇଗଲା ଓ ସେ ଲମ୍ପପ୍ରଦାନ ପୂର୍ବକ ଗୃହାଭ୍ୟନ୍ତରେ ପ୍ରବେଶ କରିବାକୁ ଯାଉଥିଲା, ଏହି ସମୟରେ କିନ୍ତୁ ଦୁଇଗୋଟି ବିଶାଳ ବାହୁ ତାକୁ ଆଲିଙ୍ଗନ କରି ଏକ ବିଶାଳ ଗାତ୍ରା-ରୂଢ଼କଲା ।

ଏହି ବିଶାଳ କାୟଟି ଗୋଟିଏ ଯୁବକର । ଆଲୋକ ନ ଥିବାରୁ ତାହାର ସର୍ବାଙ୍ଗ ଭଲରକମ ଦେଖାଗଲା ନାହିଁ । କେବଳ ଏତିକି ମାତ୍ର ଜଣାଗଲା ଯେ, ମୁଣ୍ଡରେ ଗୋଟାଏ କଳାପଗଡ଼ି ଓ ଦେହର ଅଧୋଭାଗ ଗୋଟାଏ କଳା ଲୁଙ୍ଗିରେ ଆବୃତ । ବିମଳାକୁ ଗାତ୍ରାରୂଢ଼ କରିବା ମାତ୍ରକେ ଉକ୍ତ ଯୁବକ ସେହି ସ୍ଥାନେ ମୁହୂର୍ତ୍ତ ମାତ୍ର ଅପେକ୍ଷା ନ କରି କେଉଁଠାରେ ଅନ୍ତର୍ହିତ ହୋଇଗଲା ।

 

ପଞ୍ଚମ ପରିଚ୍ଛେଦ

ହାନିଫ୍‌ର ଗୃହ

 

ରାତି ଦୁଇ ତିନି ଘଡ଼ି ହୋଇଗଲାଣି । ନଫର-ମା’ ସେହି କ୍ଷୁଦ୍ର ଗୃହରେ ବସି ଦୀପାଲୋକାକୃଷ୍ଟ ସ୍ୱ-ଶିଶୁଟିକୁ କୋଳକୁ ଓଟାରୁଅଛି । ଶିଶୁଟି କିନ୍ତୁ ମା’ର ବଶୀଭୂତ ହେଉ ନାହିଁ । ମା’ ମଧ୍ୟ କିପରି ଅନ୍ୟମନସ୍କା ହୋଇ ଦାଣ୍ଡଦ୍ୱାର ଆଡ଼େ ଥରେ, ଶିଶୁ ପ୍ରତି ଥରେ ଦୃଷ୍ଟି ସ୍ଥାପନ କରୁଅଛି । ତା’ର କୌଣସି ବିଷୟରେ ମନ ଲାଗୁନାହିଁ । ସେ ମନେ ମନେ ଭାବୁଥିଲା, ‘‘ହାନିଫ୍‌ ଆଜି ଏତେବେଳଯାଏ କାହିଁକି ଫେରିଲା ନାହିଁ । ତାରତ ଏତେ ଡେରି କେବେ ହୁଏ ନାହିଁ । ରାମ ପଣ୍ଡାଏ କହିଗଲେ, ‘ବିମଳା ଘରେ ଏକାଅଛି ହାନିଫ୍‌ ଆସିଲେ ଜଲଦି ପଠାଇ ଦେବୁ ।’ ଏକି କଥା-। ! ମୁଁ ତ ନଫରକୁ କେତେବେଳୁ ପଠାଇ ଦେଲିଣି । ସେ କ’ଣ ତେବେ ଯାଇ ନାହିଁ ! କୁଆଡ଼େ ଗଲା ତେବେ ? ତଦପର ଦୀର୍ଘନିଃଶ୍ୱାସ ତ୍ୟାଗ କରି ମନେ ମନେ କହିବାକୁ ଲାଗିଲା, ‘‘ସତେ କଣ ନଫର ଖେଚଡ଼ା ହୋଇଗଲାଣି ! ବାପ ତାର କେତେ କଥା ତା’ ନା’ରେ କୁହେ ମୁଁ ସେ ସବୁ କଥା ହସି ଉଡ଼ାଇ ଦିଏ । ଆଲ୍ଲା ଏକମାତ୍ର ଭରସା ।’’

 

ଏହି ଅବକାଶରେ ଶିଶୁଟି ସୁବିଧା ପାଇ ଏକାବେଳେ ଦୀପରେଖା ପାଖେ ଯାଇ ହାଜିର ଓ ତଦୁପରସ୍ଥ ଉଜ୍ଜ୍ୱଳ ବସ୍ତୁଟି କରଗତ କରିବା ସକାଶେ ଅନେକବାର ହାତ ବଢ଼ାଇ ସୁଦ୍ଧା ବିଫଳ ମନୋରଥ ହେବାରୁ ଦୀପରେଖାଟି ଧରି ହରାଇବାକୁ ଲାଗିଲା, ସଙ୍ଗେ ସଙ୍ଗେ ଦୀପରେଖାସହ ପ୍ରଦୀପଟି ତାହାର ମସ୍ତକୋପରି ପତିତ ହେଲା ଓ ସେ ଚିତ୍‌କାର କରି ଉଠିଲା । ଏହା ଶୁଣି ମା’ ଶିଶୁ ନିକଟକୁ ଧାଇଁ ଆସିଲା ଓ କୋପାନ୍ୱିତ ସ୍ୱରେ କହିବାକୁ ଲାଗିଲା, ‘‘ବେଶ ହୋଇଚି, ଯେମିତି କାମକୁ ସେମିତି ଫଳ । ପୋଡ଼ି ଯାଇଥାନ୍ତା କି ! ମୁଁ ସେତେବେଳୁ ମନା କରୁଚି, ଆରେ ନଛୁ ଯା ନା’’ ନଛୁ ଏହି ଗାଳି ବୁଝିପାରି କ୍ରନ୍ଦନ ସ୍ୱର ଅଧିକତର କରିଦେଲା ଓ ମା’ ଆଡ଼େ ବିକଳ ଦୃଷ୍ଟିରେ ଚାହିଁବାକୁ ଲାଗିଲା ।

 

ଭାଗ୍ୟବଶତଃ ପ୍ରଦୀପଟି ନଛୁର କିଛି ଅନିଷ୍ଟ କରି ନ ଥିଲା, ଏଥି ସକାଶେ ଜନନୀ ମନେ ଆଲ୍ଲାଙ୍କଠାରେ କୃତଜ୍ଞତା ଜଣାଇ ନଛୁକୁ ଆଉ ଅଧିକ ଗାଳି ନ ଦେଇ କାଖକରି ଇତସ୍ତତଃ ବିଚରଣ କରୁ କରୁ ଓ ଅନ୍ୟମନସ୍କଭାବେ ନାନାଦି ଗୀତ ଓ କଥା ଛଳରେ ନଛୁର ମନକୁ ବୁଝାଉ ବୁଝାଉ ଦାଣ୍ଡଦ୍ୱାର ପର୍ଯ୍ୟନ୍ତ ଗଲା ।

 

ଯିବା ମାତ୍ରକେ ନଫର-ମା ଦେଖିଲା ଅନ୍ଧକାରରେ କିଏ ଜଣେ ଆସୁଚି । ମୂର୍ତ୍ତିଟି ଯେତେ ଯେତେ ନିକଟବର୍ତ୍ତୀ ହେଉଥାଏ, ତାହାର ବଦନମଣ୍ଡଳ ତେତେ ତେତେ ଉଲ୍ଲସିତ ହେଉଥାଏ । ଅବଶେଷେ ମୂର୍ତ୍ତିଟି ଯେମିତି ନିକଟବର୍ତ୍ତୀ ହେଲା ନଫର-ମା ନଛୁକୁ ଦେଖାଇ କହିଲା, ‘‘ଦେଖିଲୁ ନଛୁ କିଏ ଆସିଲାଣି ।’’

 

ନଛୁ ଅତୀବ ଆନନ୍ଦିତ ଚିତ୍ତରେ ଭଙ୍ଗା ସ୍ୱରରେ ଉତ୍ତର ଦେବାକୁ ଲାଗିଲା, ‘‘ବା-ବା-’’ ଓ ବାପା ନିକଟକୁ ଯିବା ସକାଶେ ଉବୁଡ଼ି ପଡ଼ିଲା ।

 

ହାନିଫ୍‌ ତାକୁ ଆପଣା କୋଳକୁ ନେଇ ତା ସଙ୍ଗେ ଅନେକ ରକମ କଥାବାର୍ତ୍ତା କରୁ କରୁ ନଫର-ମା’ ସହିତ ଘର ଭିତରେ ପ୍ରବେଶ କଲା ।

 

ହାନିଫ୍‌ ଦେଖିବାକୁ ଏପର୍ଯ୍ୟନ୍ତ ବେଶ୍‌ ମଜବୁତ । ତାର ମୁଖଶ୍ରୀ ପାଚିଲା ଦାଢ଼ି-ନିଶ ସମାଚ୍ଛନ୍ନ କିନ୍ତୁ ମୁଣ୍ଡଟି ଲଣ୍ଡା । ସେହି ଲଣ୍ଡା ମୁଣ୍ଡର ପଶ୍ଚାଦ୍ଦେଶ ଗୋଟିଏ ଦୁଇପଇସିଆ କନାର ଟୋପିରେ ଆବୃତ । ପରିଚ୍ଛଦ ମଧ୍ୟରେ କାନ୍ଧରେ ଗୋଟିଏ ମସିଆ ଗାମୁଛା ଓ ଅଣ୍ଟାରେ ମୋଟ ଖଦି ।

 

ନଫର-ମା—ଆଜି ଏତେ ଦେରି ହେଲା କାହିଁକି ?

 

ହାନିଫ୍‌ -- ତୋ ଗୁଣବାନ ବେଟା ଯୋଗୁଁ ।

 

ନଫର-ମା ଅତୀବ ଉତ୍ସୁକ କଣ୍ଠରେ ପଚାରିଲା, ‘‘କାହିଁକି କଣ କରିଛି କି ?’’

 

ହାନିଫ୍‌--ସେ’ତ ଆମକୁ ସାରିଚି । କ’ଣ କହିବି, ହରି ମାହାନ୍ତି ଗୁମାସ୍ତା ପାଟଣା ଖଜଣା ଅସୁଲ କରି ଏକା ନଈବାଟେ ଆସୁଥିଲା, ଏହି ସମୟରେ ସେ ପାଜି ଆଉ ଦୁଇ ତିନିଟା ଟୋକାଙ୍କୁ ସାଙ୍ଗରେ ନେଇ, ତାକୁ ଜଖମ କରି ତାଠାରୁ ସମୁଦାୟ ଟଙ୍କା ଆନ୍ଦାଜ ଟ ୧୦୦୧ଙ୍କା ହେବା କାଢ଼ି ନେଇଚି ।

 

ନଫର-ମା ନେତ୍ର ବିସ୍ଫାରିତ କରି ଗଦଗଦକଣ୍ଠରେ କହିଲା, ‘‘ତା’ପର କଣ ହେଲା ? ସେତ ଅଭିକା ଆସିଥଲା, ତାକୁ ବାନ୍ଧିନେଇ ଯାଇ ନାହାନ୍ତି ତ ?’’

 

ହାନିଫ୍‌ -- ବନ୍ଧା ହେବା କାମ କରିଚି, ବନ୍ଧାହେବ ନାଇତ କ’ଣ ହେବ !

 

ନଫର-ମା—କଣ କହୁଚ ? ନଫର ମୋର ବନ୍ଧା ହୋଇଚି, ତୁମେ ଥାଉଁ ଥାଉଁ ?

 

ହାନିଫ୍‌--ନ ଶୁଣି ଏମିତି ବାୟାଣୀପରି କାହିଁକି ହେଉଚୁ ? ମୁଁ ବିଲରେ ହଳ ବୁଲାଉଥିଲି, ଏହି ସମୟରେ ହରିମାହାନ୍ତିଙ୍କର ପିଆଦା ଆସି ମୋତେ ଡାକି ନେଇଗଲା । ମୁଁ ଯାଇ ବେଟାଙ୍କ କାର୍ତ୍ତି ସବୁ ଶୁଣିଲି ଓ ଅନେକ କାନ୍ଦି ବୋବାଳି ଟଙ୍କା ସବୁ ଶୁଝିଦେବି ବୋଲି କହି ଆସିଲି-। ଯାଉଚି ଏହି ରାତିରେ ରାମପଣ୍ଡାଙ୍କ ସଙ୍ଗେ ପରାମର୍ଶ କରେଁ ।

 

ନଫର-ମା—ରାମପଣ୍ଡା ଆଜି ଘରେ ନାହାନ୍ତି, ପାଲା କରି ଯାଇଛନ୍ତି । ସେ ଏହି ବାଟେ ଯିବାବେଳେ କହି ଯାଇଛନ୍ତି ଓ ବିମଳା ମଧ୍ୟ ଦି’ପହରେ କହିବାକୁ ଆସିଥିଲା ଯେ, ତମେ ଆଜି ତାଙ୍କ ଘରେ ଶୋଇବାକୁ ଯିବ ।

 

ହାନିଫ୍‌--ତେବେ ଜଲଦି ଖାଇବାକୁ ଦେ । ଝୁଅଟା ଘରେ ଏକାଥିବ ।

 

ନଫର-ମା—ତମର ଡେରି ଦେଖି ମୁଁ ନଫରକୁ ଆସିଲା ମାତ୍ରେ ପଠାଇ ଦେଇଚି ।

 

ହାନିଫ୍‌--ସେ ବଦମାସଟାକୁ କାହିଁକି ପଠାଇଦେଲୁ ?

 

ନଫର-ମା—ଶୁଣ, ତାକୁତ ପଠାଇଦେଲି । ଏଠି କହିଗଲା ଯିବାବୋଲି କିନ୍ତୁ କୁଆଡ଼େ ଯେ ଗଲା ତା ଖୋଦାକୁ ଗୋଚର । ପଣ୍ଡାଏ ଆସି ଏଠି ତମକୁ ଖୋଜିବା ଆଗରୁ ସେ ଯାଇସାରି ଥିଲା ।

 

ହାନିଫ୍‌-ଦେ ତା କଥା ଛାଡ଼, ଜଲଦି ଖାଇବାର ଆଣିଲୁ ।

 

ଅନନ୍ତର ହାନିଫ୍‌ ନଛୁକୁ ପିଣ୍ଡାରେ ବସାଇ ପାଣିଭରା ଲୋଟା ନେଇ ଗୋଡ଼ ହାତ ଧୋଇ ପକାଇଲା ଏବଂ ସ୍ୱସ୍କନ୍ଧସ୍ଥ ଗାମୁଛାରେ ଧୌତାଙ୍ଗ ପୋଛି ପକାଇ ପିଣ୍ଡା ଉପରେ ଯାଇ ବସିଲା । ନଛୁ ମଧ୍ୟ ସୁଯୋଗ ଦେଖି ଶୂନ୍ୟ ଅଙ୍କ ପୂର୍ଣ୍ଣକଲା ଓ ‘‘ହାଁ ହୁଁ’’ ରେ ନାନାପ୍ରକାର କଥାବାର୍ତ୍ତା କରୁ କରୁ ପିତାର ପାଚିଲା ଦାଢ଼ିକୁ ଗୋଟିଏ କ୍ରୀଡ଼ନକ ମନେ କରି ତାକୁ କଅଁଳ ହାତରେ ସାଉଁଳିବାକୁ ଲାଗିଲା । ଇତ୍ୟବସରେ ନଫର-ମା ଗୋଟିଏ ପ୍ଲେଟରେ ମାଉଁସ ତରକାରୀ, ଅଣ୍ଡାଝୋଳ, ଚେକା ଚେକା ରୁଟି ପ୍ରଭୃତି ସୁଗନ୍ଧଯୁକ୍ତ ଖାଦ୍ୟ ଆଣି ହାନିଫ୍‌ ସମ୍ମୁଖରେ ସ୍ଥାପନ କଲା-। ନଛୁବାବୁ ଏହା ଦେଖି ଦାଢ଼ିଧରା ଛାଡ଼ିଦେଲେ ଏବଂ କାଳେ କେହି ସମୁଦାୟ ଖାଇଯିବ ଏହି ଭୟରେ ହଠାତ୍‌ ଗରମ ତରକରୀ ଭିତରେ ହସ୍ତ ପ୍ରବେଶ କରିଦେଲେ । ସାଙ୍ଗେ ସାଙ୍ଗେ ଅବିମୃଶ୍ୟକାରୀତାର ଫଳ ଫଳିଲା ଓ ଚିତ୍‌କାର ଧ୍ୱନିରେ ଘର ଭାଙ୍ଗିପକାଇଲା । ଜନନୀ ବ୍ୟସ୍ତ ତ୍ରସ୍ତ ହୋଇ ଡାହାଣ ହାତ ଅଇଣ୍ଠା ଥିବାରୁ ବାମହସ୍ତ ସାହାଯ୍ୟରେ ଅତି କଷ୍ଟେ ତାକୁ କାଖ କରି ଶାନ୍ତ୍ୱନା ବାକ୍ୟ ପ୍ରଦାନ କରୁ କରୁ ରୋଷାଇ ଘର ଆଡ଼େ ଅଗ୍ରସର ହେଲା । ଏଣେ ହାନିଫ୍‌ ବଡ଼ କ୍ଷୁଧାର୍ତ୍ତ ହୋଇଥିଲା; ତେଣେ ପୁଣି ବିମଳା ଘରେ ଏକାକିନୀ ଥିବା ବାର୍ତ୍ତା ଚିତ୍ତଚାଞ୍ଚଲ୍ୟ ଜନ୍ମାଇଥିଲା ଅତଏବ ସେ ଟାଉ ଟାଉ କରି ଖାଇଦେବାକୁ ଲାଗିଲା ।

 

* * * *

 

ଆହାରାନ୍ତେ ହାନିଫ୍‍ ଶୀଘ୍ର ଶୀଘ୍ର ହାତ ମୁହଁ ଧୋଇ ପକାଇଲା । ଅବସର ନେବା ଦୂରେ ଥାଉ, କେବଳ ମୁହଁରେ ଅଗ୍ନିସଂଯୁକ୍ତ ପିଙ୍କାଟିଏ ଓ ହାତରେ ମୋଟା ଠେଙ୍ଗାଟିଏ ଧାରଣ କରିବାକୁ ଯେତେ ସମୟ ଦରକାର ସେତିକି ସମୟ ରହି ବିମଳା ଘରକୁ ବହିର୍ଗତ ହେଲା ।

 

ଷଷ୍ଠ ପରିଚ୍ଛେଦ

ଇତିହାସ

 

ବ୍ରାହ୍ମଣ ଏବଂ ପଠାଣ ଭିତରେ ଏତେଦୂର ଘନିଷ୍ଠତା ଦେଖି ପାଠକେ ବିମଳାର ଜୀବନୀ ଜାଣିବାକୁ ଅତ୍ୟନ୍ତ କୌତୂହଳୀ ହୋଇଥିବେ, ଅତଏବ ସଂକ୍ଷେପରେ ତାର ଜୀବନୀ ଉଦ୍ଧୃତ ହେଲା-

 

ବିମଳା ଯେତେବେଳେ ନିତାନ୍ତ ପିଲା ତେତେବେଳୁ ସେ ମାତୃହାରା କିନ୍ତୁ ନଫର-ମା ସାହାଯ୍ୟରେ ସେ ମାତୃ-ସେବା ସୁଖରୁ ବଞ୍ଚିତ ହୋଇ ନ ଥିଲା । ନଫର ତେତେବେଳେ ମୋଟେ ବର୍ଷକର । ଏହି ହେତୁରୁ ନଫର ଏବଂ ବିମଳା ପିଲାଦିନୁ ଭାଇ ଭଉଣି ପରି ଖେଳି ବୁଲି ଆସୁଥିଲେ-। ବିମଳାର ଯେତେବେଳେ ଜ୍ଞାନୋଦୟ ହେଲା ତେତେବେଳେ ସେ ଜାଣିଲା ଯେ ନଫର ଏବଂ ସେ ବିଭିନ୍ନ ଜାତିର କିନ୍ତୁ ଏହା ବୋଲି ବାଲ୍ୟାବଧି ଭାତୃ-ଭଗିନୀ ପ୍ରେମ ମୁହୂର୍ତ୍ତକ ସକାଶେ ବିଲୁପ୍ତ ହୋଇ ନ ଥିଲା । ବିବାହ ହୋଇ ସୁଦ୍ଧା ବିମଳା ନଫରର ସହିତ ପୂର୍ବବତ୍‌ ଆଚାର ବ୍ୟବହାର କରୁଥିଲା ।

 

* * * *

 

କାଳକ୍ରମରେ ବିମଳାକୁ ଯେତେବେଳେ ଦ୍ୱାଦଶ ବର୍ଷ ତେତେବେଳେ ଅଭାଗିନୀର ସ୍ୱାମୀ-ବିୟୋଗ ହେଲା ଏବଂ ସ୍ୱାମୀ ସୁଖାଶା ନିର୍ବାପିତ ହେଲା । ବିମଳା ତାର ଏକମାତ୍ର ସନ୍ତାନ ଏବଂ ସ୍ନେହର ଆସ୍ପଦ । ଅତଏବ ପିତୃଗୃହରେ ନିରାନନ୍ଦ କାଳଯାପନ କରିବାର ବ୍ୟବସ୍ଥା ହେଲା ।

 

ବିମଳା ଯେ ପର୍ଯ୍ୟନ୍ତ ବିଧବା ହୋଇ ନ ଥିଲା, ସେ ପର୍ଯ୍ୟନ୍ତ ଘରେ ଗୋଟିଏ ଚାକରାଣୀ ଥିଲା; କିନ୍ତୁ ଏଣିକି ବିମଳା ଚିରଦିନ ସକାଶେ ଘରେ ରହିବ ଜାଣି ରାମପଣ୍ଡା ଚାକରାଣୀଟିକୁ ଛଡ଼ାଇ ଦେଲେ ଏବଂ ଗୃହର ସମସ୍ତ ଭାର ଅଭାଗିନୀ ଉପରେ ନ୍ୟସ୍ତ ହେଲା ।

 

ବିମଳାକୁ ବେଶି କାମ କରିବାକୁ ପଡ଼ୁନଥିଲା । ସକାଳେ ସଞ୍ଜବେଳେ ପହଁରା ପହଁରି ଆଦି ଓ ବାପ ଝୁଅ ଦୁଇଜଣଙ୍କର ରୋଷେଇ ବାସ କରି ତାକୁ ଅବଶିଷ୍ଟ କାଳ ଆଳସ୍ୟରେ କଟାଇବାକୁ ପଡ଼ୁଥିଲା । ସେ ଚତୁର୍ଦ୍ଦଶ ବର୍ଷରେ ପଦାର୍ପଣ ନ କରିବା ପର୍ଯ୍ୟନ୍ତ ସମୟ ପାଇଲେ ସାହିରେ ଇୟା ଘରକୁ, ତା ଘରକୁ ବୁଲିବାକୁ ଯାଉଥିଲା ଓ ଗାଁ ଟୋକିଙ୍କ ସଙ୍ଗେ ଥଟ୍ଟା ତାମାସାଦି କରୁଥିଲା । କିନ୍ତୁ ଯେତେବେଳେ ପୂର୍ଣ୍ଣ ଯୌବନର ବିକାଶ ହେଲା, ତେତେବେଳେ ସେ ସ୍ୱାଧୀନତାଟିକ ଲୋପ ପାଇଗଲା । ସେ ଦ୍ୱିପ୍ରହରେ କିମ୍ବା ରାତ୍ରରେ ଅବସର ପାଇଲେ ପଠନାଦି କାର୍ଯ୍ୟରେ ମନୋନିବେଶ କରୁଥିଲା । ସେ ଦୁଇବର୍ଷ ମଧ୍ୟରେ ଅନେକଗୁଡ଼ିଏ ପୋଥି ପଢ଼ିସାରିଥିଲା ଏବଂ ପଠନୋଦ୍ଦେଶ୍ୟସାଧନସ୍ୱରୂପ ଶାସ୍ତ୍ରାନୁଯାୟୀ କାର୍ଯ୍ୟ କରିବାକୁ ମଧ୍ୟ ଚେଷ୍ଟା କରୁଥିଲା ।

 

ଏହି ଅବସ୍ଥାନ୍ତର ହେବା ପର ସେ କାର୍ଯ୍ୟ ନ ଥିଲେ, କାହାରି ଘରକୁ ଯାଏ ନାହିଁ, ଦାନ ଧ୍ୟାନରେ ସର୍ବଦା ମନ ବଳାଏ । ତାହାର ଏହିପରି ସଦାଚରଣ ଦେଖି ପ୍ରତିବେଶିନୀମାନେ ତାକୁ ଅତ୍ୟନ୍ତ ଭଲ ପାଇବାକୁ ଲାଗିଲେ । କିନ୍ତୁ ଏହି ସୁନାମ ବିମଳା ବେଶି ଦିନ ରଖି ପାରିଲା ନାହିଁ; କାରଣ ନଫର ଏହାର ପ୍ରଧାନ ଅନ୍ତରାୟ ହେଲା ।

 

ନଫରକୁ ତେତେବେଳେ ୧୮ବର୍ଷ । ସେ ବାଳକ ଥିଲେ ସୁଦ୍ଧା କାର୍ଯ୍ୟରେ ପୂର୍ଣ୍ଣବୟସ୍କ ଯୁବକଠାରୁ କୌଣସି ଗୁଣରେ ଊଣା ନୁହେଁ । ସେ ବର୍ଷକ ଆଗେ ବେଶ ସୁଧୀର ଶାନ୍ତପିଲା ଥିଲା କିନ୍ତୁ ସଙ୍ଗ ଦୋଷରେ ପଡ଼ି ଯୌବନ ସୁଲଭ ସମସ୍ତ ପାପକାର୍ଯ୍ୟ କରିବାକୁ କ୍ଷମ ହୋଇଥିଲା ।

 

ନଫର୍ ଏପରି ଦୁଷ୍ଟାଚାରୀ ହେଲେ ସୁଦ୍ଧା ବିମଳା ତାକୁ ନିଜର ଭାଇ ବୋଲି ଜ୍ଞାନ କରୁଥାଏ, ସୁତରାଂ ତା ସଙ୍ଗେ ମିଶୁଥାଏ । କିନ୍ତୁ ନଫରକୁ ଏହି ପ୍ରଶ୍ରୟ ଦେବାଦିନୁଁ ପ୍ରତିବେଶିନୀମାନେ ବିମଳା ପ୍ରତି କିରୂପ ସନ୍ଦେହ କରିବାକୁ ଲାଗିଲେ; କିନ୍ତୁ ବିମଳାର କୌଣସି ଭୟ ନଥିଲା । କାରଣ ସେ ନିଜର ଚରିତ୍ର ବିଷୟରେ ସନ୍ଦେହ ଶୂନ୍ୟା ଥିଲା ।

 

* * * *

 

ଦିନେ ଦ୍ୱିପ୍ରହରବେଳେ, ଘରେ କେହି ନାହାନ୍ତି, ପଣ୍ଡାଏ କୁଆଡ଼େ ଯାଇଛନ୍ତି । ବିମଳା ଗୋଟିଏ ପୋଥିଧରି ପଢ଼ୁଛି, ଏହି ସମୟରେ ନଫର ଆସି ହାଜର ଓ ସବୁଦିନ ଯେପରି କଥାବାର୍ତ୍ତା କରେ ସେହିପରି କରୁ କରୁ ବିମଳାର ଗାତ୍ର ସ୍ପର୍ଶ କରିବାକୁ ଉଦ୍ୟତ ହେଲା । ବିମଳା ଭୟ ଦେଖାଇ ପାଟି କରିବାରୁ ସେ ଭଗ୍ନମନୋରଥ ହୋଇ ପଳାଇ ଗଲା । ସେହିଦିନୁ ବିମଳା ତାର ସଙ୍ଗ ଏକାବେଳେ ପରିତ୍ୟାଗ କଲା, କିନ୍ତୁ କାହାରି ଆଗରେ ଏ କଥା ପ୍ରକାଶ ନ କରି କେବଳ ବୁଢ଼ା ଚଚ୍ଚାକୁ ଏ କଥାର ଆଭାସ ମାତ୍ର ଦେଇଥିଲା ।

 

ହାନିଫ୍‍ ବିମଳାକୁ ଅତ୍ୟନ୍ତ ଭଲ ପାଉଥାଏ । ଯେତେବେଳେ ବିମଳାର ମାତୃ ବିୟୋଗ ହୁଏ, ସେ ନଫର-ମା’କୁ କହିଥିଲା, ‘‘ନଫରର ପଛେ କଷ୍ଟ ହେଉ ବିମଳାର ଯେମିତି କିଛି ନ ହେଉ-।’’ ବିମଳା ପ୍ରତି ଏହି ସ୍ୱର୍ଗୀୟ ସ୍ନେହ ହାନିଫ୍‍ ହୃଦୟରେ କିପରି ଜାତ ହେଲା ଆମ୍ଭେମାନେ କହି ନ ପାରୁଁ । ବୋଧହୁଏ ହାନିଫ୍‍ର ହୃଦୟ ଅତ୍ୟନ୍ତ ଦୟାର୍ଦ୍ର ଅଥବା ତାଙ୍କ ଗୃହପ୍ରତି ଅନେକ ଦିନର ମମତା ଏକମାତ୍ର କାରଣ । ସେ ମଧ୍ୟ ରାମପଣ୍ଡାକୁ ଦିନେ କହିଥିଲା ‘‘ଯେତେବେଳେ ତମେ କୁଆଡ଼େ ଯିବ ମୁଁ ବିମଳାକୁ ଜଗିବି, ତମର କୌଣସି ଭାବନା ନାହିଁ ।’’

 

ପାଠକେ ପଚାରି ପାରନ୍ତି, ବିମଳା ଯେବେ ନିର୍ମଳ-ଚରିତ୍ରା ଥିଲା ତେବେ ପ୍ରତିବେଶିନୀମାନେ ତାର କଳଙ୍କ ରଟାଇଲେ କାହିଁକି ? ଏହାର କାରଣ ଆଉ କିଛି ନୁହେ, ପାଜି ନଫର କେବଳ ପ୍ରତିଶୋଧ ଇଚ୍ଛାରେ ଏ ସମସ୍ତ କରିଥିଲା ।

 

* * * *

 

ନଫର-ମା କିନ୍ତୁ ଏ ସମସ୍ତ ଜାଣିପାରି ନଥିଲା । କାରଣ ଏହା ଉପନ୍ୟାସ-ନିବଦ୍ଧ ଘଟଣାର ଦୁଇଦିନ ଆଗରେ ଘଟିଥିଲା । ହୁଏତ ନଫର-ମା ଗାଁ ବାହାରେ ଥାଏ ବୋଲି କୌଣସି ସୀମନ୍ତିନୀଙ୍କ ସଙ୍ଗେ ଦେଖା ନ ହେବାରୁ ଶୁଣି ନାହିଁ, ଅଥବା ଦେଖା ହେଲେ ସୁଦ୍ଧା କେହି ସତ୍ୟଂ ବୃୟାତ୍‌ ନ ବୃୟାତ୍‌ ସତ୍ୟମପ୍ରିୟଂ ଏହି ନୀତି ଅବଲମ୍ବନ କରି ସତ୍ୟ କଥା ପ୍ରକାଶ କରି ନାହାନ୍ତି ।

 

ସପ୍ତମ ପରିଚ୍ଛେଦ

ସନ୍ଦେହ

 

ହାନିଫ୍‍ ବିମଳାର ଘରେ ପହୁଞ୍ଚି, ଦାଣ୍ଡଘର ଏବଂ ଭିତର ଘର ଖୋଲାଦେଖି ମନରେ ବଡ଼ ଭୟ କଲା । ବାଡ଼ିଆଡ଼କୁ ଯାଇଛି ଏହା ମନେ କରି ଅନେକ ଡକାଡକି କଲା; କିନ୍ତୁ ସମସ୍ତ ବୃଥା । ତା’ପର ହଠାତ୍‌ ପାଜି ନଫରର କଥା ମନେପଡ଼ିଗଲା; କିନ୍ତୁ ସେ ନଫର-ମା’ଠାରୁ ଶୁଣି ଆସିଥିଲା ଯେ, ନଫର ବିମଳା ଘରକୁ ଆସିବ ବୋଲି କହି କୁଆଡ଼େ ପଳାଇଛି । ଅତଃପର ସେ ଭାବିବାକୁ ଲାଗିଲା, ‘‘ଆଛା ବିମଳାତ ମୋର ଡେରି ଦେଖି ଆଉ କାହାରି ଘରକୁ ଶୋଇବାକୁ ଯାଇ ନାହିଁ ? ତାହା ହେଲେ ଘରଦ୍ୱାର ମେଲା ପଡ଼ନ୍ତା କାହିଁକି? ଆଛା ଯେବେ କାହାରି ଘରକୁ ଯାଇଥାଏ, ପଚାରେ ।’’ ସୁତରାଂ ହାନିଫ୍‍ ଗୃହର କବାଟ ସମୂହ ବନ୍ଦକରି ସନ୍ନିକଟସ୍ଥ ପ୍ରତିବେଶିନୀମାନଙ୍କୁ ବିମଳା ବିଷୟ ପଚାରିବାକୁ ଲାଗିଲା । ସମସ୍ତେ ନିରାଶ ବାକ୍ୟ ପ୍ରୟୋଗ କଲେ ଏବଂ ଗାଁଯାକ ହୁଲର ପଡ଼ିଗଲା । ‘‘ବିମଳା ଘରୁ କୁଆଡ଼େ ବାହାରି ଗଲାଣି ।’’

 

* * * *

 

ରାତିରେ ବେଶି କିଛି ଗୋଲମାଲ ହେଲା ନାହିଁ । ହାନିଫ୍‍ ମଧ୍ୟ ମନ ଦୁଃଖରେ କିମ୍ବା ଅନ୍ୟ କଣ ଭାବି କୁଆଡ଼େ ଚାଲିଗଲା ।

 

ଅଷ୍ଟମ ପରିଚ୍ଛେଦ

ସାହସ

 

ମଧ୍ୟ ରାତ୍ର ଉର୍ତ୍ତୀର୍ଣ୍ଣ ହୋଇଗଲାଣି; ତେବେ ସୁଦ୍ଧା ଘୋର ଅନ୍ଧକାର ଆକାଶ ମର୍ତ୍ତ୍ୟ ଗ୍ରାସି ରହିଛି । କେଉଁଆଡ଼େ କୌଣସି ଶବ୍ଦ ନାହିଁ, କେବଳ ବେଳେ ବେଳେ ଶୃଗାଳର ‘ହୁକେ ହୁ’ ପେଚକର ‘ଭୁଟ୍‌’ ‘ଭୁଟ୍‌’ ଶବ୍ଦ ପ୍ରଭୃତି ପ୍ରକୃତିର ନିସ୍ତବ୍‌ଧତା ଭଙ୍ଗ କରୁଛି । ଏହି ସମୟରେ (ରତ୍ନପୁର ଗ୍ରାମର ୩ଟା ଗ୍ରାମାନ୍ତରସ୍ଥ) ବାଘୁଆବଣ ଆଡ଼େ ଜଣେ ମସ୍‌ ମସ୍‌, ଫଁସ୍‌ ଫଁସ୍‌ ଶବ୍ଦ କରି ଚାଲୁଅଛି ।

ପଥିକଟି ଅନ୍ଧକାରରେ ଯେପରି ଲୀନ ହୋଇ ଯାଇଛି; କେବଳ ପୂର୍ବୋକ୍ତ ଶବ୍ଦ ତାହାକୁ ଚିହ୍ନାଇ ଦେଉଅଛି । ସେ ସୁଦୂର ପଥାତିକ୍ରମକାରୀ ଭାରବାହୀ ବ୍ୟକ୍ତିପରି ରୁଦ୍ଧଶ୍ୱାସ ହୋଇ ପଡ଼ୁଛି । ସେ ଖାଲି ଚାଲୁନାହିଁ । କାନ୍ଧରେ ଗୋଟିଏ ପ୍ରକାଣ୍ଡବସ୍ତୁ ବହନ କଲାପରି ଜଣାଯାଉଛି ।

ଅତୀବ କଷ୍ଟରେ ସେ ଅରଣ୍ୟ ସମୀପବର୍ତ୍ତୀ ହେଲା ଓ ସେଠାରେ ପହଁଚିବା ମାତ୍ରକେ ଉକ୍ତ ଜଙ୍ଗଲରୁ ଗୋଟିଏ ହୁଁ ଶବ୍ଦ ଉଚ୍ଚାରିତ ହେଲା । ଉକ୍ତ ଯୁବକଟି ସେହି ଶବ୍ଦର ପ୍ରତିଧ୍ୱନିସ୍ୱରୂପ ହୁଁ ବୋଲି ପାଟି କରି ଉଠିଲା । ଅନନ୍ତର ଦୁଇଜଣ ଭୀଷଣକାୟ ଲୋକ ବାହାରି ଆସି ଅତ୍ୟନ୍ତ ଉତ୍ସୁକ ସ୍ୱରରେ ପଚାରିଲେ, ‘‘ନଫର, କାମ ଫତେତ ?’’ ନଫର ସେମାନଙ୍କ ନିକଟବର୍ତ୍ତୀ ହୋଇ ମୃଦୁ ମୃଦୁ ହସି କହିଲା, ‘‘ତମମାନଙ୍କର କଣ ଆଖି ନାହିଁ ?’’

ଆଗନ୍ତୁକମାନେ ନଫରର ସନ୍ନିକଟବର୍ତ୍ତୀ ହୋଇ ତଦୂଢ଼ ବସ୍ତୁଟି ଅବଲୋକନ କରି ହର୍ଷୋତ୍‌ଫୁଲ୍ଲ ଚିତ୍‌କାରରେ ବନସ୍ଥଳୀ ବିକମ୍ପିତ କରି ଦେଲେ ଏବଂ ସମସ୍ତେ ଏକତ୍ରରେ ନାନାଦି ଥଟ୍ଟା ତାମାସା କରୁ କରୁ ବନ ମଧ୍ୟରେ ପ୍ରବେଶ କଲେ । କେତେକ ଦୂର ବକ୍ର ଭାବରେ ପରିକ୍ରମଣ କରି ସମସ୍ତେ ଗୋଟିଏ କ୍ଷୀଣାଲୋକିତ କୁଟୀର ଦ୍ୱାରଦେଶରେ ଉପନୀତ ହେଲେ ।

ଗମ୍ଭୀରିଟି ବେଶି ବୃହତ୍‌ ନୁହେ । ଚାରି ପାଞ୍ଚଜଣଙ୍କ ବସିବା ଆନ୍ଦାଜ ସ୍ଥାନ ଅଛି । ଘରର ମଧ୍ୟଦେଶରେ ଗୋଟିଏ ଜୀର୍ଣ୍ଣକାୟ ଦୀପରଖା ଉପରେ ପ୍ରାଚୀନ ପ୍ରଦୀପଟିଏ ସ୍ଥାନର ମହାତ୍ମାନୁଯାୟୀ ଆଲୋକ ବିତରଣ କରୁଅଛି; ପୁଣି ଦୁଇ ତିନିଟା ଘଡ଼ା ବା ମାଠିଆ ଓ ଦୁଇ ତିନିଟା ଗିଲାସ ମୁଖ ବ୍ୟାଦାନ କରି ଘର ଛାତକୁ ଅନାଇ ରହିଛି; ଅନତି ଦୂରରେ ଗୋଟାଏ ଛିଣ୍ଡା ମସିଣା ମଧ୍ୟ ବିସ୍ତୃତ ଭାବରେ ପଡ଼ି ରହିଛି; ଘରର ଠିକ୍‌ ପଶ୍ଚିମ କୋଣରେ ୪/୫ଟା ମୋଟା ମୋଟା ଠେଙ୍ଗା ଓ ଦା, କଟୁରି ପ୍ରଭୃତି—କେତେଗୁଡ଼ିଏ ଚୌରଜନଙ୍କ ନିତ୍ୟ ସହଚର—ମନ ଦୁଃଖରେ ଯେମନ୍ତ କାନ୍ଥକୁ ଆଉଜି ଠିଆ ହୋଇଛନ୍ତି । ଏତଦ୍‌ବ୍ୟତୀରେକେ ବିଶେଷ ଦ୍ରଷ୍ଟାବ୍ୟ ବିଷୟ କିଛି ନ ଥିଲା ।

ନଫର ଆଗେ ସେହି ଘର ମଧ୍ୟରେ ପ୍ରବେଶ କରି ଉକ୍ତ ମସିଣା ଉପରେ ଜ୍ଞାନଶୂନ୍ୟା ବିମଳାକୁ ଲମ୍ବମାନ କରି ଦେଉ ଦେଉ ବିରକ୍ତ ଭାବରେ କହିଲା, ‘‘ଆରେ ଗୋଟାଏ କିଛି ମୁଣ୍ଡତଳେ ଦେ ।’’

ଯୁବକ ଦଳ ମଧ୍ୟରୁ ଜଣେ ଶ୍ମଶ୍ରୁ-ସମାଚ୍ଛନ୍ନ ଓ କୃଷ୍ଣମେଘ ନିନ୍ଦିତ ବଦନରେ ଶୁଭ୍ର-ଦଶନ ଛଟା ପ୍ରକାଶ କରି, ନିଜର ଗାତ୍ରସ୍ଥ କୃଷ୍ଣକାୟ ବସନଟି ମୁଚୁଳା କରି ବିମଳାର ମୁଣ୍ଡତଳେ ଦେଉ ଦେଉ କହିଲା, ‘‘ମୋର ଏହି ସୌଭାଗ୍ୟ ଯେପରି ଚିରଦିନ ହେଉ !’’

ଏହାର ଉତ୍ତରରେ ଆଉ ଜଣେ ବିଶାଳକାୟ ଯୁବକ ତାହାର ଦୀର୍ଘନିଶ ଯୋଡ଼ାକ ମୋଡ଼ୁ ମୋଡ଼ୁ କହିଲା, ‘‘ଆମେ ତେବେ କଣ ଫାଙ୍କା ?’’

ନଫର—ଆରେ ଭାଇ ଚୁପ । ଅଣ୍ଡା ନ ଫୁଟୁଣୁ ଛୁଆ ଗଣିବାର କି ଦରକାର । ଏଆଡ଼େ ତାର କିପରି ଚେତା ହେବ ତାହା ଭାବିବ ନା ବାଣ୍ଟ ବିଷୟରେ କଜିଆ କରିବ ?

୧ମ ଯୁବକ—(ଅତୀବ ଉତ୍ସୁକ ଭାବରେ) କଣ କରିବା ଭାଇ, କେମିତି ତାର ଚେତା ହେବ ?

୨ମ ଯୁବକ—(ସ୍ୱଳ୍ପ ବିରକ୍ତ ଭାବରେ) ପାଣି ମୁନ୍ଦାଏ ଆଣି ତା ମୁହଁରେ ଛିଞ୍ଚନା ! ମୁଁ ବିଚଣା କରୁଚି ।

ନଫର—ମୁଁ ପାଣି ଛିଞ୍ଚୁଚି ।

ଏହା କହି ନଫର ଗୋଟିଏ ମାଠିଆରୁ ପାଣି ମୁନ୍ଦାଏ ଆଣି ବିମଳା ମୁହଁରେ ଛିଞ୍ଚିବାକୁ ଲାଗିଲା । ଏହିପରି କେତେକ୍ଷଣ କରିବା ପରେ ବିମଳାର ଚେତାହେଲା ଓ ସେ ଶୂନ୍ୟଦୃଷ୍ଟିରେ ଚତୁର୍ଦ୍ଦିଗ ନିରୀକ୍ଷଣ କରୁ କରୁ ହଠାତ୍‌ ନଫର ଉପରେ ଦୃଷ୍ଟି ପଡ଼ିଲା । ବିମଳା କ୍ଷୀଣାଲୋକ ସାହାଯ୍ୟରେ ଦେଖିଲା – ସେ ନଫର ଆଉ ନାହିଁ - ସେ ଦେବଭାବ, ସେ ମଧୁରକାନ୍ତି କୁଆଡ଼େ ଚାଲିଗଲାଣି - ଅଧୁନା ଯେପରିକି ଗୋଟିଏ ସୟତାନର ପ୍ରତିମୂର୍ତ୍ତି ତାର ସମ୍ମୁଖରେ ବିରାଜମାନ ।

ବିମଳାର ଭାବ ବୁଝି ନଫର କହିଲା, ‘‘ବିମଳା ! ଭୟ ନାହିଁ । ତୋର ଏଠାରେ କିଛି କଷ୍ଟ ହେବ ନାହିଁ ।’’

ଏହି କଥା କହି ନଫର ଉତ୍ତର ପ୍ରତ୍ୟାଶାରେ ବିମଳା ମୁହଁକୁ ଚାହିଁ ରହିଲା ।

ଅନନ୍ତର କିଛିକ୍ଷଣ ନିସ୍ତବ୍‌ଧତା ପର ବିମଳା ଅତି କ୍ଷୀଣସ୍ୱରରେ କହିବାକୁ ଲାଗିଲା, ‘‘ଭାଇ ନଫର ! ମୁଁ ତୋର କି ଦୋଷ କରିଥିଲି ଯେ, ମୋତେ ଏ ବୃଥା ଯନ୍ତ୍ରଣା ଦେଉଚୁ ?’’

ନଫର—ବିମଳା ! ଇଏ କଣ ତୋ’ ପ୍ରତି ଯନ୍ତ୍ରଣା ହେଲା ? ମୋର ଆଜି ପ୍ରାଣର କଥା ମୁଁ ତୋତେ ଖୋଲି କହୁଛି, ମୁଁ ତୋତେ ବଡ଼ ଭଲ –

ଅତି କ୍ରୁଦ୍ଧସ୍ୱରରେ ବିମଳା କହିଲା ଚୁପ୍‌କର ପାଜି - କହୁ କହୁ ବିଛଣାରୁ ଉଠିବସି ତୀକ୍ଷ୍‌ଣଦୃଷ୍ଟିରେ ଗୃହର ଚତୁର୍ଦ୍ଦିଗ ନିରୀକ୍ଷଣ କରିବାକୁ ଲାଗିଲା ।

୧ମ ଯୁବକ—ଆରେ ନଫର ! ଧରନା ତାକୁ ଉଠି ବସିଲାଣି, ପଳାଇ ଯିବ ଯେ ।

ଏକଥା ନଫର ଶୁଣିଲା କି ନାହିଁ କହି ନ ପାରୁଁ । କିନ୍ତୁ ସେ ନିଶ୍ଚଳ ଭାବେ ବିମଳା ପ୍ରତି ଦୃଷ୍ଟି ସ୍ଥାପନ ପୂର୍ବକ ତାର ବୀର ଭାବ ପର୍ଯ୍ୟବେକ୍ଷଣ କରୁଥିଲା । ଏହି ଅବସରରେ ବିମଳା ହଠାତ୍‌ ଯେଉଁ କୋଣରେ କଟୁରି, ଦା ପ୍ରଭୃତି ଅସ୍ତ୍ର ଶସ୍ତ୍ର ରହିଥିଲା ସେ ଆଡ଼କୁ ଧାଇଁଯାଇ ଗୋଟିଏ କଟୁରି ହସ୍ତଗତ କରି ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ କହିବାକୁ ଲାଗିଲା, ‘‘ତୁମ୍ଭମାନଙ୍କ ମଧ୍ୟରୁ ଯେ କେହି ମୋ’ ଆଡ଼େ ପଦେମାତ୍ର ଅଗ୍ରସର ହେବ ତାର ପ୍ରାଣ ଏହି ଖଡ଼୍‌ଗରେ ରହିଲା ଜାଣ ।’’

ଏହି ଭୀଷଣମୂର୍ତ୍ତି ଅବଲୋକନ କରି ପ୍ରଥମେ ସମସ୍ତେ ଅବାକ ହୋଇ ନିଶ୍ଚଳ ଭାବରେ ଅବସ୍ଥାନ କରିବାକୁ ଲାଗିଲେ । ଅବଶେଷେ ସେମାନଙ୍କ ମଧ୍ୟରୁ ଜଣେ ସାହସ ପୂର୍ବକ ବିମଳା ଆଡ଼େ ଅଗ୍ରସର ହେଲା । ବିମଳା କୁପିତା ସିଂହିନୀ ପ୍ରାୟ ତାକୁ ଆକ୍ରମଣ କରି ଖଡ଼୍‌ଗାଘାତରେ ଦ୍ୱିଖଣ୍ଡ କରି ପକାଇଲା ଓ ଦ୍ରୁତପଦରେ ଘରୁ ବାହାର ହୋଇ ଅନ୍ଧକାରରେ ଅରଣ୍ୟ ମଧ୍ୟରେ ଅଦୃଶ୍ୟ ହୋଇଗଲା ଏବଂ ଅବଶିଷ୍ଟ ଯୁବକଦ୍ୱୟ ତା ପଛେ ପଛେ ଧାବମାନ ହେଲେ ।

 

ନବମ ପରିଚ୍ଛେଦ

ଅନୁସନ୍ଧାନ

 

ନିଶା ଅବସାନ ପ୍ରାୟ, କିନ୍ତୁ ସୂର୍ଯ୍ୟଦେବ ଏ ପର୍ଯ୍ୟନ୍ତ ଉଠି ନାହାନ୍ତି । ଆକାଶ ଆଲୋକିତ ହେଲେ ସୁଦ୍ଧା ତମୋଗ୍ରାସରୁ ଏକେବାରେ ରକ୍ଷାପାଇ ନାହିଁ, ପାହାନ୍ତିଆ ତାରା ତେଜ ବିହୀନ ହୋଇ ସୁଦ୍ଧା ଝକ୍‌ ମକ୍‌ କରୁଅଛି । ବେଳେ ବେଳେ କାକର କା କା ଶବ୍ଦ ଓ ସ୍ଥାନେ ସ୍ଥାନେ ଗ୍ରାମ୍ୟ ସୀମନ୍ତିନୀଙ୍କ ବାସନ ମର୍ଜ୍ଜନାଦି ଝଣ ଝଣ ଶବ୍ଦ ପୃଥିବୀର ନିସ୍ତବ୍‌ଧତା ଭଙ୍ଗ କରୁଅଛି । ଏହି ସମୟରେ ପଣ୍ଡାସାହି ବାଟେ ଗୋଟିଏ ନାରୀ ମୂର୍ତ୍ତି ଅଗ୍ରସର ହେଉଅଛି ।

 

ପାଠକେ ! ଏହି ନାରୀଟିକୁ ବିମଳା ମନେକରି ବଡ଼ ଆହ୍ଲାଦିତ ହୋଇଥିବେ, କିନ୍ତୁ ଟିକିଏ ନିକଟବର୍ତ୍ତୀ ହୋଇ ଦେଖିଲେ – ଇଏ ଆଉ କେହି ନୁହେଁ, ଆମ୍ଭର ପୂର୍ବ ପରିଚିତା ନଫରମା; ଏତେବେଳେ ଏଆଡ଼େ କାହିଁକି ! ସେ ତାହାର ନିଦ୍ରିତ ଶିଶୁ ସନ୍ତାନଟିକୁ କାଖ କରି ଧୀରେ ଧୀରେ ଏକଲକ୍ଷ୍ୟରେ ଚାଲୁଅଛି । ତାର ମୁଖଭାବ କିପରି ବିକୃତ ଦେଖା ଯାଉଅଛି, ଯେପରି କି ଅନ୍ତରରେ କୌଣସି ଭୟ ଜାଗ୍ରତ ହୋଇଅଛି ।

 

ସେ ରାମପଣ୍ଡାଙ୍କ ଘରଦୁଆରରେ ପହୁଞ୍ଚିବା ମାତ୍ରକେ ଗତିରୋଧ କଲା ଓ ପିଣ୍ଡାକୁ ଉଠିଯାଇ ଯେମିତି ଦେଖିଲା ଦାଣ୍ଡଦ୍ୱାର ବାହାର ଆଡ଼ୁ ବନ୍ଦ ସେମିତି ତାର ମୁଖଭାବ ଅଧିକତର ବିକୃତ ହୋଇଗଲା ଓ ସେ ଦ୍ୱାରଦେଶରେ ବସିପଡ଼ି ମନେ ମନେ ଭାବିବାକୁ ଲାଗିଲା, ‘‘ବିମଳା କ’ଣ ସତେ ଘରୁ ବାହାରି ଯାଇଛି; ରାତିରେ ନଫର-ବାପ କଥା ମୁଁ ଖାତିର କରୁ ନ ଥିଲି; ଆଚ୍ଛା ସେ ଏତେଦୂର ରାଗିମାଗି କୁଆଡ଼େ ଚାଲିଗଲା । ନଫର କାହିଁକି ଏତେବେଳଯାଏ ଘରକୁ ଫେରିଲା ନାହିଁ ? ରାତିରେ ବାହାରେ ଥିଲେତ ଏତେବେଳଯାଏ ରୁହେ ନାହିଁ । ତାକୁ ହରିମାହାନ୍ତି ଗୋମାସ୍ତା ବାନ୍ଧି ନେଇ ଯାଇ ନାହାନ୍ତିତ । ହେ ଆଲ୍ଲା ! ମୋତେ ରକ୍ଷାକର !’’

 

ନଛୁ ଏହି ସମୟରେ ହଠାତ୍‌ କାନ୍ଦି ଉଠିଲା । ସୁତରାଂ ଜନନୀ ଭାବନା ବିଷୟ ତ୍ୟାଗକରି ସନ୍ତାନର ପ୍ରବୋଧନାର୍ଥ ନାନାଦି ଯତ୍ନ କରିବାକୁ ଲାଗିଲା ଓ ତାର ମୁଖରେ ସ୍ୱସ୍ତନାଗ୍ରଭାଗ ପ୍ରବେଶ କରାଇ ଦେଲା । ଶିଶୁଟି ମଧ୍ୟ ଚଁ ଚଁ କରି ପ୍ରାତଃକାଳୀନ ଭୋଜନ କ୍ରିୟା ସମ୍ପନ୍ନ କରୁ କରୁ ମାତୃକ୍ରୋଡ଼ରେ ନିମିଳିତ ନେତ୍ରରେ ବିଶ୍ରାମ କରିବାକୁ ଲାଗିଲା ।

 

ଏଣେ ସୂର୍ଯ୍ୟଦେବ ଲୋହିତାଭା ଧାରଣପୂର୍ବକ ପୂର୍ବାକାଶରେ ବିରାଜ ମାନ ହେଲେଣି, କିନ୍ତୁ ଅନ୍ୟାନ୍ୟ ଦିନପରି ସେ ଆଜି କାହିଁକି ଏତେ ତେଜୀୟାନ୍‍ ଦେଖାଯାଉ ନାହାନ୍ତି ? ଯେପରି କି ପୂର୍ବରାତିର ଘଟଣା ବିଷୟ ଅବଗତ ହୋଇ ଲଜ୍ଜାରେ କାହାରି ଆଡ଼େ, ବିଶେଷତଃ ପଣ୍ଡାଙ୍କ ଘରଆଡ଼େ ଚାହିଁ ପାରୁନାହାନ୍ତି । ଗାଁ ଯାକ ସମସ୍ତେ ଉଠି ବସିଲେଣି ଓ ରାମପଣ୍ଡାର ଘରେ ଜନସ୍ରୋତ ଲାଗିଗଲାଣି ।

 

ସମସ୍ତେ ଏହି ସମୟରେ ନଫର-ମା’କୁ ସେଠାରେ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ ଓ ତାହାରିକୁ ପ୍ରଶ୍ନୋପ୍ରଶ୍ନ କରିବାକୁ ଲାଗିଲେ । ସେ ବିଚାରି କେଉଁ ପ୍ରଶ୍ନର ଉତ୍ତର ଆଗେ ଦେବ ତାହା ଠିକ୍‌ କରି ନ ପାରି ଭେକା ଚେକା ହୋଇ ରହିଗଲା । ଜନତା ମଧ୍ୟରୁ ଜଣେ ବର୍ଷୀୟାନ୍‍ ବ୍ୟକ୍ତି ସମସ୍ତଙ୍କୁ ଚୁପ୍‍ଚାପ୍‌ କରି ନଫର-ମା’କୁ ପଚାରିଲା, ‘‘ନଫର-ମା’ ! ତୁ ଏତେ ସକାଳେ ଏଠି କାହିଁକି, ହାନିଫ୍‍ କଣ ଘରେ ନାହିଁ ?’’

 

ନଫର-ମା’—ସେତ ରାତିରେ ଏଠୁଁ ଫେରିଯାଇ କୁଆଡ଼େ ଯେ ବାହାରି ଗଲେ ତା ଖୋଦାକୁ ଗୋଚର ।

 

ପ୍ରଥମ—ତୋତେ କ’ଣ କିଛି କହିଯାଇ ନାହିଁ ?

 

ନଫର-ମା—ରାତିରେ ଏଠୁଁ ଯେମିତି ଗଲେ ସେମିତି ପଚାରିଲେ, ‘ନଫର ଘରେ ଅଛି-?’ ମୁଁ କହିଲି, ‘ନାହିଁ’; ସେ ଏହିକଥା ଶୁଣିବା ମାତ୍ରକେ କିପରି ମୁହଁ ନେସଡ଼େଇ ଦେଲେ । ଆଉ କୌଣସି କଥା ନ କହିବା ଦେଖି ମୁଁ ପଚାରିଲି, ‘କାହିଁକି’ ସେ କହିଲେ, ‘ବିମଳା ଘରେ ନାହିଁ’ ମୁଁ ବଡ଼ ଆଶ୍ଚର୍ଯ୍ୟ ହୋଇଗଲି । ମନେ ମନେ କଲି ବୋଧହୁଏ ବିମଳା ନଫର-ବାପଙ୍କ ଡେରି ଦେଖି କାହାରି ଘରକୁ ଶୋଇବାକୁ ଯାଇଥିବ, କିନ୍ତୁ, ସେହି ମନକଥା ମନରେ ରହିଗଲା । କାରଣ ସେ ତତ୍‌କ୍ଷଣାତ୍‌ ପାଗଳଙ୍କପରି ଗୋଟିଏ ଟାଙ୍ଗିଆ ଧରି ଘରୁ ବାହାରିଗଲେ ।

 

ଦ୍ୱିତୀୟ—ଏ ପ୍ରଶ୍ନରୁ ଯେତେଦୂର ବୁଝାଯାଏ ନଫରର ଅନୁପସ୍ଥିତି ଓ ବିମଳାର ପଳାୟନ ସହିତ ଗୋଟାଏ ଗୂଢ଼ ସମ୍ବନ୍ଧ ରହିଚି ।

 

ତୃତୀୟ—ତା କିପରି କୁହାଯାଇପାରେ । ହୁଏତ ଅନ୍ୟ କି ସକାଶେ ସେ ନଫରକୁ ଖୋଜିପାରେ ।

 

ଦ୍ୱିତୀୟ—ତେବେ ସେ ପାଗଳ ପ୍ରାୟ ହୁଅନ୍ତା କାହିଁକି ?

 

ତୃତୀୟ—ପୁଅର ନାନାଦି ଅସଦାଚରଣ ଯୋଗୁଁ ହୋଇପାରେ । ବିଶେଷତଃ କାଲି ହରିମାହାନ୍ତି ଘରେ ତା ସକାଶେ ତଣ୍ଡ ଗଣିବାକୁ ହୋଇଚି ।

 

ଚତୁର୍ଥ—ରାତିରେ ତେବେ କୁଆଡ଼େ ଗଲା ?

 

ତୃତୀୟ—ମୋତେ ବୋଧ ହେଉଚି ସେ ରାମପଣ୍ଡାକୁ ଖବର ଦେବାକୁ ଗଲା ।

 

ଦ୍ୱିତୀୟ—ତେବେ ଟାଙ୍ଗିଆ ନେବାର କି ଦରକାର ?      

 

ପ୍ରଥମ—ଥାଉ ଥାଉ ଏମିତି ଅନ୍ଧାରୁଆ ଟେକା ମାରିବା କି ଫଳ ।

 

ବର୍ତ୍ତମାନ ଆସ ବିମଳାର କିପରି ସନ୍ଧାନ ହେବ ଓ ତାର ବାପ କତିକି କିପରି ଖବର ଯିବ ତାର ବ୍ୟବସ୍ଥା କରିବା ।

 

ତା’ରପର ନଫର-ମା ଆଡ଼କୁ ଚାହିଁ ପ୍ରଥମ ବ୍ୟକ୍ତି ପୁନର୍ବାର କହିଲା, ‘‘ତୁ ଘରକୁ ଯାଇ ହାନିଫ୍‍ ଆସିବା ମାତ୍ରେ ମୋ ପାଖକୁ ପଠାଇ ଦେବୁ ।’’

 

ଏହି ଉକ୍ତିପର ଯେ ଯାହା ଘରକୁ ଚାଲିଗଲେ ଓ ନଫର-ମା ତା’ର ଶୂନ୍ୟଦୃଷ୍ଟି ପୂର୍ଣ୍ଣ-ଜାଗ୍ରତ ଶିଶୁଟିକୁ ଗ୍ରହଣପୂର୍ବକ ଆଗମନ ପଥରେ ପ୍ରତ୍ୟାବର୍ତ୍ତନ କଲା ।

 

ଦଶମ ପରିଚ୍ଛେଦ

ପରିଣାମ

 

ଦିନ ପ୍ରାୟ ୩-୪ ଘଡ଼ି ଅଗ୍ରସର ହେଲାଣି । ମାର୍ତ୍ତଣ୍ଡତାପ ବେଳକୁ ବେଳ ପ୍ରଖରତର ହେବାକୁ ଲାଗିଲାଣି । ତରୁଲତା ଶତଚେଷ୍ଟା ସତ୍ୱେ ଫଳ ପୁଷ୍ପ ଧରି ରଖିପାରୁ ନାହାନ୍ତି; ପକ୍ଷୀକୁଳ ବିକଳ ଭାବେ ପଲ୍ଲବ ଛାୟା ଶୋଭିତ ତରୁଶାଖେ ବସି ତନ୍ଦ୍ରାବେଶେ ଢୁଳୁଛନ୍ତି । ଗାଁ ବାଟ ଜନଶୂନ୍ୟ ପ୍ରାୟ—କେବଳ ଜଣେ ଅଧେ ରାମପଣ୍ଡାଙ୍କ ଘରଆଡ଼େ ଯିବା ଆସିବା କରୁଅଛନ୍ତି ।

 

ଏମାନେ ବୋଧହୁଏ ବିମଳାର ବାର୍ତ୍ତା ଶୁଣିବା ସକାଶେ ବ୍ୟସ୍ତ । ଏଣେ ରାମପଣ୍ଡା ଘରକୁ ଫେରି ଆସି ଏକାବେଳେ ହତଭମ୍ବ ହୋଇଛନ୍ତି । ତାଙ୍କୁ ସମସ୍ତ ଫାଁକ ଫାଁକ ଦେଖାଯାଉଅଛି-। ସେହିଘର ସେହିପରି ଅଛି, କିନ୍ତୁ ସେ ସୌନ୍ଦର୍ଯ୍ୟ ଆଉ ନାହିଁ। ସେ ରହି ରହି ଚିତ୍କାର କରି ଉଠୁଛନ୍ତି ‘‘ବିମଳି, ତୁ କୁଆଡ଼େ ଗଲୁ’’ ଓ ମୂର୍ଚ୍ଛା ଯାଉଛନ୍ତି । ଯେ ଯେତେ ପ୍ରକାର ଆଶ୍ୱାସ ପ୍ରଦାନ କରୁଛି ମାତ୍ର ସମସ୍ତ ବୃଥା । ଅବଶେଷରେ କେତେକଜଣ ତାଙ୍କୁ ଧରାଧରି କରି ଗୋଟିଏ ମସିଣା ଉପରେ ଶୁଆଇ ଦେଇ ବ୍ୟଜନ କରିବାକୁ ଲାଗିଲେ । ଫଳତଃ ତାଙ୍କର ଅବସନ୍ନ ଶରୀର କ୍ରମେ କ୍ରମେ ଶିଥିଳ ଓ ନୟନ ଯୁଗଳ ତନ୍ଦ୍ରା ମୁଦ୍ରିତ ହୋଇ ଆସୁଥିଲା ।

 

କିଛିକ୍ଷଣ ଏହିପରି ଭାବରେ କଟିଛି ଏହି ସମୟରେ ଦାଣ୍ଡଦ୍ୱାରେ ଭୟଙ୍କର ଗୋଳମାଳ ଶୁଣାଗଲା । ଅନ୍ତଃପୁରସ୍ଥ ସମସ୍ତେ ଦାଣ୍ଡକୁ ଦୌଡ଼ି ଆସିଲେ । ରାମପଣ୍ଡା ମଧ୍ୟ ଏହି କଳରବ ଶୁଣି ଚମକି ଉଠିଲେ ଓ ବାତୁଳପ୍ରାୟ ଦାଣ୍ଡଆଡ଼େ ଧାବମାନ ହେଲେ ।

 

ଅହୋ ! ଏ କି ଦୃଶ୍ୟ ! ଏ ହୃଦୟ ବିଦାରକ ଦୃଶ୍ୟ ଏକ ପୁତ୍ରକ କିପରି ସହିବ !

 

ପଣ୍ଡାଙ୍କ ଘର ପିଣ୍ଡାରେ ବିମଳାର ଶବଦେହ ବିସ୍ତାରିତ ହୋଇ ରହିଛି; ତା’ର ଦେହ ହାତ ରକ୍ତରେ ଯେପରି ଭାସିଯାଉଅଛି । ଏହି ରକ୍ତ-ପ୍ରବାହ ତାର ବକ୍ଷ ଦେଶରୁ ବହିର୍ଗତ ହେଉଅଛି-

 

ପଣ୍ଡାଏ ଏ ଦୃଶ୍ୟ ଦେଖିବା ମାତ୍ରେ ସେହିଠାରେ କଚାଡ଼ି ହୋଇ ପଡ଼ିଲେ ଓ ସମସ୍ତେ ‘ହାଁ, ହାଁ’ କରୁ କରୁ ଅବାକ୍‍ ହୋଇ ଗଲେ ।

 

ଜନତା ମଧ୍ୟରୁ ଆମ୍ଭର ପୂର୍ବ ପରିଚିତ ବର୍ଷୀୟାନ ବ୍ୟକ୍ତିଟି କହି ଉଠିଲେ ‘‘ଆରେ ରାମକୁ ଘର ଭିତରକୁ ନେଇଯାଅ ନିଶ୍ଚଳ ଭାବରେ ଛିଡ଼ାହେଲେ କ’ଣ ହେବ ।’’

 

ଆଦେଶମତେ କାର୍ଯ୍ୟ ତତ୍‌କ୍ଷଣାତ୍‌ ସମ୍ପନ୍ନ ହେଲା ଓ ଜନତା ଭିତରେ ନାନାଦି ତର୍କ ବିତର୍କ ଲାଗିଗଲା । ଶବବହନକାରୀମାନେ ପ୍ରଶ୍ନ ଯନ୍ତ୍ରଣାରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ସେହି ଏକାକଥା ଜଣ ଜଣ କରି କେତେ କହିବେ । ଅବଶେଷରେ ଉକ୍ତ ବୃଦ୍ଧ ବ୍ୟକ୍ତିଟି ସମସ୍ତଙ୍କୁ ଚୁପ୍‌ଚାପ୍‍ କରି ଶବବହନକାରୀମାନଙ୍କୁ କହିଲେ ‘‘ତୁମ୍ଭେମାନେ ଗୋଟିଏ କାମ କର । ତୁମ୍ଭମାନଙ୍କ ଭିତରେ ଜଣେ କେହି ଆଦ୍ୟୋପ୍ରାନ୍ତ ସମସ୍ତ ଘଟଣା ବର୍ଣ୍ଣନା କରିଦିଅ, ତାହାହେଲେ ଆଉ ତୁମ୍ଭମାନଙ୍କୁ କେହି ବ୍ୟତିବ୍ୟସ୍ତ କରିବେ ନାହିଁ ।’’

 

ଶବବହନକାରୀମାନଙ୍କ ମଧ୍ୟରୁ ଜଣେ ଯୁବକ ବର୍ଣ୍ଣନାଭାର ଗ୍ରହଣ କରି କହିବାକୁ ଲାଗିଲା ‘‘ ଆମ୍ଭେମାନେ ପ୍ରଥମେ ଗାଁ ଯାକ ଘର ଘର କରି ତଲ୍ଲାସ କରି ଆର ଗାଁକୁ ଯିବା ବାଟେ ଦେଖିଲୁ ନିକଟବର୍ତ୍ତୀ ଗୋଟାଏ କିଆବୁଦା ଉପରେ (ପାହାନ୍ତିଆ ଯୋଗୁଁ) ଅସ୍ପଷ୍ଟ ଭାବରେ ଗୋଟାଏ ଧୋବଲା କଣ ଦିଶୁଚି । ଆମ୍ଭେମାନେ ନିକଟବର୍ତ୍ତୀ ହୋଇ ଦେଖିଲୁ ଏହି ଶବଦେହ ଓ ତନ୍ନିକଟରେ ଆହୁରି ଗୋଟିଏ ଶବଦେହ ମଧ୍ୟ ପଡ଼ିଚି ।’’

ଜନତା ମଧ୍ୟରୁ ଜଣେ ପ୍ରଶ୍ନ କରି ଉଠିଲା ‘‘ଅନ୍ୟଟି କାର ଶବ ଦେହ ?’’

ବର୍ଣ୍ଣନାକାରୀ—ଆମ୍ଭେମାନେ ଭଲରୂପେ ଚିହ୍ନି ପାରିଲୁ ନାହିଁ, କାରଣ ତାହାର ବଦନମଣ୍ଡଳଟି ଏକାବେଳକେ ଛିନ୍ନ ବିଛିନ୍ନ ହୋଇ ଯାଇଥିଲା । କିନ୍ତୁ, ଏତିକି ଜଣାଗଲା ଯେ ଉକ୍ତ ଶବଟି ଏକ ବଳିଷ୍ଠକାୟ ଯୁବକର ।

ଏହିପରି ତର୍କ ଆରମ୍ଭ ମାତ୍ର ହୋଇଛି ଏହି ସମୟରେ ସମସ୍ତେ ଗୋଳମାଳ କରି ଉଠିଲେ ଓ ସଚକିତେ ଦେଖିବାକୁ ଲାଗିଲେ, ଜଣେ ରକ୍ତାକ୍ତକାୟ ମନୁଷ୍ୟ ସଁ ସଁ କରି ସେମାନଙ୍କ ଆଡ଼େ ଧାବମାନ ହେଉଛି । ଆହୁରି ଆଶ୍ଚର୍ଯ୍ୟର ବିଷୟ, ସେ ଲୋକଟିର ହସ୍ତରେ ଗୋଟାଏ ମଣିଷ ମୁଣ୍ଡ । ଦର୍ଶକମାନେ ପାଷାଣ ମୂର୍ତ୍ତିବତ୍‍ ଓ ନିଶ୍ଚଳ ହୋଇଗଲେ ।

ଆଗନ୍ତୁକଟି ଜନତା ନିକଟବର୍ତ୍ତୀ ହେବା ମାତ୍ରେ ସମସ୍ତେ ଇତଃସ୍ତତଃ ବିକ୍ଷିପ୍ତ ହୋଇଗଲେ ଓ ସେ ଏକ ଲକ୍ଷ୍ୟରେ ଶବର ନିକଟବର୍ତ୍ତୀ ହେବାକୁ ଲାଗିଲା ଓ ସେଠାରେ ପହଞ୍ଚିବା ମାତ୍ରକେ ସେହି କଟା ମୁଣ୍ଡଟି ଉକ୍ତ ଶବର ଚରଣ ପ୍ରାନ୍ତେ କଚାଡ଼ି ଦେଇ ବିକଳ ସ୍ୱରରେ କହିବାକୁ ଲାଗିଲା ‘‘ବିମଳି ବିମଳି । ତୋର ‘ବୁଢ଼ାଚଚ୍ଚାକୁ’ ଥରେ ଆଖି ମେଲାଇ ଚାହିଁବୁ ନାହିଁ, ଥରେ ଦେଖ ଭଲା, ତୋର ଶତ୍ରୁର କି ଦଣ୍ଡ ହୋଇଛି ।’’ ଓ ସଙ୍ଗେ ସଙ୍ଗେ ଭୂପତିତ ହେଲା ।

 

- ସମାପ୍ତ -